ଅବପାତର ରୂପ ନେଲା ଲଘୁଚାପ, ୬ ଘଣ୍ଟାରେ ହେବ ଗଭୀର ଅବପାତ

ଭୁବନେଶ୍ୱର: ଅବପାତର ରୂପ ନେଲା ସଦୃଶ୍ୟ ଲଘୁଚାପ । ଆସନ୍ତା ୬ ଘଣ୍ଟାରେ ଏହା ଅଧଇକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ପାଣତପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ଦେଇ ସଂଧ୍ୟା ସୁଦ୍ଧା ଝାଡ଼ଖଣ୍ଡ ଓ ଛତିଶଗଡ଼ ମୁହାଁ ହେବ । ଏହାର ପ୍ରଭାବରେ ଆଜି ଉତ୍ତର ଓ ପଶ୍ଚିମ ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ୨ଟି ଜିଲ୍ଲାକୁ ରେଡ୍, ୧୪ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହିପରି ଆସନ୍ତାକାଲି ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉତ୍ତର ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ପବନର ବେଗ ୬୫ କିମି ବହିବ । ବାଲେଶ୍ୱର, ଭଦ୍ରକ, ମୟୁରଭଂଜରେ ରାତିରୁ ପବନ ଅଧିକ ହେବ । ଘଣ୍ଟା ପ୍ରତି ୫୫ ରୁ ୬୫ କିମି ବେଗରେ ବହିବ ପବନ । ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣରେ ପବନର ବେଗ ୪୦ କିମି ରହିବ । ସେହିପରି ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଆଜି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ବୈତରଣୀରେ ଅଧିକ ବର୍ଷା ହେବ । ଉପର ବ୍ରାହ୍ମଣୀ ଓ ତଳ ବ୍ରାହ୍ମଣୀରେ ଆସନ୍ତାକାଲି ଅଧିକ ବର୍ଷା ହେବ । ମହାନଦୀ ଉପର ମୁଣ୍ଡରେ ଆସନ୍ତାକାଲିଠାରୁ ଅଧିକ ବର୍ଷା ହେବ କିନ୍ତୁ ତଳ ମୁଣ୍ଡରେ ବିଶେଷ ବର୍ଷା ହେବନାହିଁ । ଯାହାର ପ୍ରଭାବରେ ବନ୍ୟା ଜଳ ନିଷ୍କାଶନରେ ସହାୟକ ହେବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ।