ଆଜି ବାତ୍ୟାରେ ପରିଣତ ହେବ ଲଘୁଚାପ, ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ

1 min read

ଭୁବନେଶ୍ୱର: ଆଜି ବାତ୍ୟାରେ ପରିଣତ ହେବ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ସମୁଦ୍ର ଅଶାନ୍ତ ରହିବା ସହିତ ପବନର ବେଗ ମଧ୍ୟ ବଢ଼ିବ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ବି ସମୁଦ୍ର ମଧ୍ୟରେ ଅଛନ୍ତି ସମସ୍ତେ ଆଜି ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି ପାଣିପାଗ କେନ୍ଦ୍ର । ସନ୍ଧ୍ୟା ସୁଦ୍ଧା ବାତ୍ୟାର ଚିତ୍ର ଆହୁରି ସ୍ପଷ୍ଟ ହେବ । ଉତ୍ତର ପଶ୍ଚିମ ଦିଗରେ ବାତ୍ୟା ଗତି କରି ୧୦ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳଠୁ ଦୂରରେ ପହଞ୍ଚିବ ।

ଏହାପରେ ଗତି ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଇବ । ଦିଗ ବଦଳାଇବା ପରେ ବାତ୍ୟା ଆଉ ସ୍ଥଳଭାଗ ଛୁଇଁବ ନାହିଁ । ଲ୍ୟାଣ୍ଡଫଲ୍ ନକରି ଏହା ସମୁଦ୍ରରେ ହିଁ ଉଡ଼ିଯିବ । ଏହା ପ୍ରଭାବରେ କାଲିଠୁ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ସମୁଦ୍ର ଅଶାନ୍ତ ରହିବ । ସମୁଦ୍ରରେ ଘଣ୍ଟା ପ୍ରତି ୬୫ରୁ ୭୫ କିମି ବେଗରେ ପବନ ବହିବ । ୧୦ ତାରିଖ ବେଳକୁ ୮୦ରୁ ୯୦ କିଲୋମିଟର ଓ ୧୧ ତାରିଖରେ ୭୦ରୁ ୮୦ କିମି ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୦୦ କିମି ହୋଇପାରେ । ଏହାର ପ୍ରଭାବରେ ପୁରୀ, ଗଞ୍ଜାମ, ଗଜପତି, କଟକ, ଜଗତସିଂହପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।