ଛତିଶଗଡ଼ ମୁହାଁ ଅବପାତ; ୪ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

1 min read

ଭୁବନେଶ୍ୱର: ଘନୀଭୂତ ହେଲା ଓ୍ବେଲମାର୍କ ଲୋ- ପ୍ରେସର । ଆଉ କିଛି ସମୟ ପରେ ନେବ ଅବପାତର ରୂପ । ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ ମୁହାଁ ହେଉଛି ଅବପାତ । ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝରରେ ୨୦୦ରୁ ୨୫୦ ମିଲିମିଟର ବର୍ଷା ସମ୍ଭାବନା ଥିବାରୁ ସତର୍କତା ଜାରି କରାଯାଇଛି ।

ସେହିପରି ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷାରେ ଦକ୍ଷିଣ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲା ପ୍ରଭାବିତ ହେବ । ବର୍ଷା ବେଳେ ଘଣ୍ଟାପ୍ରତି ୪୫ରୁ ୫୫ ଝଟକା ପବନ ୬୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଫଳରେ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ସୃଷ୍ଟି ହେବ ।

ସେଥିପାଇଁ ଆସନ୍ତା ୧୧ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଅବପାତ ଛତିଶଗଡ଼ ମୁହାଁ ହେବା ପରେ ନଦୀ ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଫଳରେ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବଂଶଧାରା ଓ ନାଗାବଳୀରେ ଜଳସ୍ତର ବଢ଼ିବା ସହ ବନ୍ୟା ଆଶଙ୍କା ରହିଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବା ସମ୍ଭାବନା ଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ବର୍ଷାରେ ଦୃଶ୍ୟମାନ କ୍ଷମତା କମିବା ସହ ସହରାଞ୍ଚଳରେ କୃତ୍ରିମ ବନ୍ୟା ଓ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ । ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ସତର୍କ କରିଛନ୍ତି ଏସଆରସି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟସ୍ତରୀୟ ପରେଡରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ, ଏହି ଜିଲ୍ଲାକୁ ଯିବେ ଏହି ମନ୍ତ୍ରୀ