ରାଜ୍ୟରେ ପୁଣି ସକ୍ରିୟ ହେଲା ଦୁର୍ବଳ ମୌସୁମୀ ବାୟୁ: ଲଘୁଚାପରେ ପରିଣତ ହେବ ସୃଷ୍ଟ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଆଜି ଲଘୁଚାପରେ ପରିଣତ ହେବ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘୂର୍ଣ୍ଣିବଳୟ ସମେତ ଗତକାଲିଠୁ ରାଜ୍ୟରେ ସକ୍ରିୟ ହୋଇଛି ଦୁର୍ବଳ ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ ଆଜି ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ, କଟକ, ଅନୁଗୁଳ, ଦେବଗଡ ଏବଂ କନ୍ଧମାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟଲୋ ଆଲର୍ଟ ଜାରିକରାଯାଇଛି ।

ଆସନ୍ତାକାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଉତ୍ତର ଏବଂ ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଏହା ସହିତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଚଳିତ ମୌସୁମୀ ସିଜିନ୍ ଅନୁସାରେ ଜୁନ୍ ୧ ତାରିଖରୁ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୮୮୧.୯ ମିଲିମିଟର ବର୍ଷା ହେବାକଥା । କିନ୍ତୁ ଏହି ସମୟ ମଧ୍ୟରେ ୬୧୧.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୩୧ ପ୍ରତିଶତ କମ୍ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁରରେ ସ୍ବାଭାବିକ ବର୍ଷା ହୋଇଛି । ଅନୁଗୁଳ, ଭଦ୍ରକ, ବଲାଙ୍ଗିର, ଗଜପତି, ଯାଜପୁର, ଝାରସୁଗୁଡା ଏବଂ କଳାହାଣ୍ଡି ଜିଲ୍ଲାରେ ୪୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି । ଏହି ଲଘୁଚାପ ରାଜ୍ୟରେ ଥିବା ନିଅଣ୍ଟିଆ ବର୍ଷାକୁ ପୂରଣ କରିବାର ଆଶା ରହିଛି ।

ଏଥିସହିତ ପଢ଼ନ୍ତୁଁ ଭିଡିଓ ଭାଇରାଲ ପରେ ମୁହଁ ଖୋଲିଲେ ନିର୍ଯାତିତ, ଥାନାରେ ଦେଲେ ଏତଲା

Leave a Reply