ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ନେବ ଲଘୁଚାପ ରୂପ

1 min read

ଭୁବନେଶ୍ୱର: ଆସୁଛି ବାତ୍ୟା । ଧୀରେ ଧୀରେ ଅଶାନ୍ତ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗର । ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଆସନ୍ତା ୧୨ ରୁ ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ପରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ବାୟୁମଣ୍ଡଳର ଆର୍ଦ୍ରତା ସହ ସମୁଦ୍ରର ତାପମାତ୍ରା ବାତ୍ୟା ସୃଷ୍ଟି କରିବା ପାଇଁ ଉପଯୁକ୍ତ ରହିଛି । କିନ୍ତୁ ଲଘୁଚାପ କେତେ ଘନୀଭୂତ ହେଉଛି ଏବଂ ତାହାର ତୀବ୍ରତା କେତେ ରହିବ ତାହା ଆସନ୍ତା ୬ ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସେପଟେ ଲଘୁଚାପ ବାତ୍ୟାର ରୂପ ନେବାର ଅଧିକ ସମ୍ଭାବନା ରହିଛି ବୋଲି ପାଣିପାଗ ସଂସ୍ଥା ଓ୍ୱିଣ୍ଡ୍ ମଡେଲରୁ ଜଣାପଡ଼ିଛି । ବାତ୍ୟା ସୃଷ୍ଟି ହେବା ପରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଛି । ସେପଟେ ରାଜ୍ୟରେ ଆଜିଠୁ ଅଧିକ ସକ୍ରିୟ ହେବ କାଳବୈଶାଖୀ । ଉପକୂଳ ଓଡ଼ିଶା ସମେତ ୧୬ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲି ସଂଧ୍ୟାରେ ଭୁବନେଶ୍ୱର ସମେତ ରାଜ୍ୟରେ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା ।