ମେ’ ୪ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୫ରେ ନେବ ଲଘୁଚାପର ରୂପ

1 min read

ନୂଆଦିଲ୍ଲୀ: ତାତିରୁ ମିଳିବ ନିସ୍ତାର । ହିଟଓ୍ୱେଭରେ ଲାଗିବ ବ୍ରେକ୍ । ଆସନ୍ତା ମେ’ ୪ ତାରିଖରେ ଦକ୍ଷିଣ ଆଣ୍ଡମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ୫ ତାରିଖ ସୁଦ୍ଧା ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ଯାହାଫଳରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଲଘୁଚାପ ସାମାନ୍ୟ ଆଶ୍ୱସ୍ତି ଆଣିବା ସମ୍ଭାବନା ରହିଛି ।

ସେପଟେ ଦେଶରେ ବିଭିନ୍ନ ସ୍ଥାନରେ ଚଳିତ ବର୍ଷର ତାପମାତ୍ରା ପୂର୍ବର ସବୁ ରେକର୍ଡ ଭାଙ୍ଗିଛି । ରାଜଧାନୀ ଦିଲ୍ଲୀ ତତଲା ତାଓ୍ବାରେ ଭାଜି ହେଉଥିବା ବେଳେ ଆଜି ପାରା ୪୬ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ମଧ୍ୟପ୍ରଦେଶ, ଜାମ୍ମୁ-କଶ୍ମୀର, ପଞ୍ଜାବ, ହରିୟାଣାରେ ବି ଗ୍ରୀଷ୍ମ ପ୍ରବାହ ଯୋଗୁ ଘରୁ ବାହାରିବା ମୁସ୍କିଲ ହୋଇଛି । ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ଆସନ୍ତା ୩ ଦିନ ଯାଏଁ ଦେଶର ଉତ୍ତର ପଶ୍ଚିମ ଅଞ୍ଚଳରେ ତାପମାତ୍ରା ୨ ଡିଗ୍ରୀ ବଢ଼ିବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି । ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟ ପାଇଁ ହିଟଓ୍ୱେଭ ଆଲର୍ଟ ଜାରି କରାଯାଇଛି । ଗତକାଲି ତୁଳନାରେ ଆଜି ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି ବୋଲି ପାଣିପାଣ ବିଜ୍ଞାନୀ ଆର କେ ଜେନାମଣି କହିଛନ୍ତି ।