ତାତିରୁ ମିଳିବ ତ୍ରାହି, ସପ୍ତାହକ ଭିତରେ ଦୁଇଟି ଲଘୁଚାପ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବଦଳିଯିବ ପାଗ । କାଲିଠୁ ଭିଜିବ ସାରା ଓଡ଼ିଶା । ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହିସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । ୮ ତାରିଖ ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ମେଘମୁକ୍ତ ଆକାଶ ଏବଂ ଦୁର୍ବଳ ମୌସୁମୀ ପ୍ରଭାବରେ ଆଜି ଗୋଟିଏ ଦିନ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ । ଆଜି ଘଡଘଡି ବିଜୁଳି ସହ ବର୍ଷା ନେଇ ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆଇଏମଡିର ଆକଳନ ଅନୁସାରେ ଆଗାମୀ ଦୁଇ ସପ୍ତାହରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଥମଟି ୭ ତାରିଖ ଏବଂ ଦ୍ବିତୀୟଟି ୯ ରୁ ୧୫ ତାରିଖ ମଧ୍ୟରେ ଘନୀଭୂତ ହେବ । ପ୍ରଭାବରେ ସାରା ରାଜ୍ୟରେ ପୁଣି ବିସ୍ତୃତ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ମୌସୁମୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାତ୍ୟା ସମ୍ଭାବନା କ୍ଷୀଣ ।