ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇଛି । କାଲି ସକାଳେ ଏହା ଅବପାତରେ ପରିଣତ ହେବ । ୨୩ ତାରିଖ ସୁଦ୍ଧା ନେବ ବାତ୍ୟାର ରୂପ । ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବାତ୍ଯା ଦାନା । ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । ୨୪ ତାରିଖରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ । ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ, ସେ ନେଇ ଏ ପର୍ଯ୍ୟନ୍ତ ସଠିକ୍ ଆକଳନ କରାଯାଇ ନ ଥିଲେ ମଧ୍ୟ ଓଡ଼ିଶା ଉପକୂଳକୁ ବିପଦ ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ପ୍ରଭାବରେ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ୨୩ ତାରିଖ ସନ୍ଧ୍ୟାଠାରୁ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବ। ୨୪ରେ ମୂଷଳ ଧାରାରେ ବର୍ଷା ନେଇ ୪ ଜିଲ୍ଲାକୁ ରେଡ ଆଲର୍ଟ । ଏହି ସବୁ ଜିଲ୍ଲାରେ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସତର୍କତା ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କଟକ, କେନ୍ଦ୍ରାପଡା, ନୟାଗଡ଼, କନ୍ଧମାଳ ଏବଂ ଗଜପତିକୁ ସତର୍କତା ଜାରି କରାଯାଇଛି ।