ଅବପାତର ରୂପ ନେଲା ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

1 min read

ଭୁବନେଶ୍ବର: ବଙ୍ଗୋପସାଗରରେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ। କ୍ରମଶଃ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟ ରାତିରେ ଉପକୂଳ ଅତିକ୍ରମ କରିବ । ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ।ବର୍ତ୍ତମାନ କଳିଙ୍ଗପଟ୍ଟନମ ଠାରୁ ୮୦ କିମି, ଗୋପାଳପୁର ଠାରୁ ୧୮୦ କିମି ଦୂରରେ ରହିଛି ଅବପାତ।

ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଫଳରେ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, କଳାହାଣ୍ଡି,କନ୍ଧମାଳ,ରାୟଗଡ଼ା, ଗଜପତି ଓ ବଲାଙ୍ଗିର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହୁଥିବାରୁ ୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୮୨୪. ୯ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ୯୦୬. ୫ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।