ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ, ୨୧ରେ ନେଇପାରେ ବାତ୍ୟା ରୂପ

1 min read

ଭୁବନେଶ୍ୱର: ଦାନା ବାନ୍ଧୁଛି ବାତ୍ୟା । ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ । ଏବେ ଏହା ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରର କେନ୍ଦ୍ରୀଭୂତ ହୋଇଛି । ଏହି ଲଘୁଚାପଟି ଧିରେ ଧିରେ ପୂର୍ବ-ଉତ୍ତର-ପୂର୍ବ ଦିଗକୁ ଗତି କରିବା ପରେ ଆସନ୍ତା ୧୯ ତାରିଖ ବେଳକୁ ଏକ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ପରେ ଏହା ଦିଗ ବଦଳାଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ୍ ସାଗରରେ ପହଞ୍ଚିବ । ଆଣ୍ଡାମାନ୍ ଓ ନିକୋବର ଦୀପପୁଞ୍ଜରୁ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ୨୦ ତାରିଖ ସକାଳ ସୁଦ୍ଧା ଏହା ଡିପ୍ରେସନରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୨୧ ତାରିଖ ବେଳକୁ ଏହା ଆହୁରି ଘନିଭୂତ ହୋଇ ସାଇକ୍ଳୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପରେ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତିକରିବ । ପରବର୍ତ୍ତୀ ସମୟରେ ପୁଣି ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତିକରିବା ସହ ୨୩ ମାର୍ଚ୍ଚ ସକାଳ ସୁଦ୍ଧା ବାଂଲାଦେଶ ନିକଟ ଏବଂ ଉତ୍ତର ମିଆଁମାରରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ସାଇକ୍ଳୋନିକ ଷ୍ଟର୍ମର ତୀବ୍ରତା ଏବଂ ବେଗ କେତେ ରହିବ ତାହା ଏବେ ବି ଅସ୍ପଷ୍ଟ ରହିଛି । କିନ୍ତୁ ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଯଦିଓ ଏହି ବାତ୍ୟାଟି ଉପକୂଳ ଓଡ଼ିଶା ଠାରୁ ପ୍ରାୟ ୨ଶହ କିଲୋମିଟର ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ତେବେ କେଉଁ ଜିଲ୍ଲାରେ ଅଧିକ ପ୍ରଭାବ ରହିବ ତାହା ୨୦ ତାରିଖ ବେଳକୁ ସ୍ପଷ୍ଟ ହେବ । କିନ୍ତୁ ଉପକୂଳ ଓଡ଼ିଶାରେ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେଲେ ବି ପବନର ବେଗ ଅଧିକ ରହିବନି ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।