ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

1 min read
Low Pressure Area In Bay Of Bengal Likely To Form Today

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ଆଣ୍ଡାମାନ ସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶୁକ୍ରବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ସକ୍ରିୟ ରହିଛି  । ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଲଘୁଚାପ କ୍ଷେତ୍ର ସୃଷ୍ଟର ୭୨ ଘଣ୍ଟା ମଧ୍ୟରେ ୨୪ ତାରିଖ ବେଳକୁ ଏହା ବାତ୍ୟାରେ ପରିଣତ ହୋଇପାରେ ।

କ୍ରମଶଃ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବ । ୨୬ ତାରିଖ ସକାଳ ସମୟରେ ଉତ୍ତର ବଙ୍ଗୋପସାଗରର ଓଡ଼ିଶା-ପଶ୍ଚିମଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୫ ତାରିଖ ଠାରୁ ଉପକୂଳ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ପରବର୍ତ୍ତୀ ସମୟରେ ବର୍ଷା ପରିମାଣ ବଢ଼ିବ । ଉପକୂଳବର୍ତ୍ତୀ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୨୫ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଖୋର୍ଦ୍ଧା, ମୟୂରଭଞ୍ଜ ଓ ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ୨୪ ତାରିଖ ସନ୍ଧ୍ୟାରୁ ଝଡ଼ ପବନ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିବାର ଆଶଙ୍କା ଥିବାବେଳେ ଝଟକା ପବନ ଘଣ୍ଟାପ୍ରତି ୬୦ କିମି ରହିପାରେ । ୨୫ ତାରିଖ ବେଳକୁ ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇବ । ଘଣ୍ଟାପ୍ରତି ପବନର ବେଗ ୪୦ରୁ ୬୦ କିଲୋମିଟର ଓ ଝଟକା ପବନ ଘଣ୍ଟାପ୍ରତି ୭୦ କିଲୋମିଟର ବେଗର ବହିବ । ୨୬ ତାରିଖ ଅପରାହ୍ଣ ବେଳକୁ ପବନ ଆହୁରି ବଢ଼ିବ । ଆଜିଠାରୁ ୨୭ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ସୁଦ୍ଧା ଫେରି ଆସିବାକୁ କୁହାଯାଇଛି ।

Leave a Reply