ଆସୁଛି ବଡ଼ ବର୍ଷା ! ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ..

ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗାମୀ ୩୬ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗର ଉପରେ ଅବପାତର ରୂପ ନେବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ବାତ୍ୟା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ। ଏହା ସ୍ପଷ୍ଟ କରିଛନ୍ତି ଭୁବନେଶ୍ଵର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି।

ସେ କହିଛନ୍ତି ବାତ୍ୟାର ହେବାର ୧୦-୧୨ ଦିନ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଏ । ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନି । ତେବେ ସପ୍ତାହେ ଯାଏଁ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ଏହି ଅବପାତ ଯୋଗୁଁ ରାଜ୍ୟରେ ଆସନ୍ତା ୫ରୁ ୭ ଦିନ ବର୍ଷା ହେବ । କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ହେବାର ମଧ୍ୟ ସତର୍କ ସୂଚନା ଦିଆଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଅନୁଭୂତ ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇପାରେ । ଆସନ୍ତାକାଲି ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ । ୨୨ ଓ ୨୩ ତାରିଖରେ ଉପକୂଳବର୍ତ୍ତୀ ଓ ଦକ୍ଷିଣର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ୨୪ ତାରିଖ ବେଳକୁ ବର୍ଷା ବଢିବାର ସମ୍ଭାବନା ରହିଛି ।