ମେ’ରେ ବାତ୍ୟା ଆଶଙ୍କା ! ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଲଘୁଚାପ କ୍ଷେତ୍ର
1 min readଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ତତସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ବାତ୍ୟାର ରୂପ ଧାରଣ କରିପାରେ । ଆଜି ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇନଥିବା ବେଳେ ଆଗାମୀ ୫ ଦିନ ଗୁରୁତ୍ୱ ରଖୁଛି । ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ମିଡ୍-ଟ୍ରପୋସ୍ଫେରିକ ଲେଭଲ ଆଡ଼କୁ ଗତି କରୁଛି । ପାଣିପାଗ ବିଭାଗ ଏହା ଉପରେ ନଜର ରଖିଥିବା ବେଳେ ଆସନ୍ତା ୫ ଦିନରେ ଚିତ୍ର ପୂରା ସ୍ପଷ୍ଟ ହେବ ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଗାମୀ ୭ ତାରିଖ ବେଳକୁ ଅବପାତରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହା ଏବେ ସମୁଦ୍ର ପତ୍ତନ ଠାରୁ ପୂର୍ବ ପଶ୍ଚିମ ଦିଗରେ ଦକ୍ଷିଣ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ, ବିହାର ଆଡ଼କୁ ରହିଛି ।
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ବଜ୍ରପାତ ହେବ । ପବନ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବହିବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇପାରେ । ୬ ଓ ୭ ତାରିଖରେ ମଧ୍ୟ ବଜ୍ରପାତ ସମ୍ଭାବନା ରହିଛି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦ୍ୱାରା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ସୃଷ୍ଟି ହେଲେ ଏହା ୨୦୨୦ ମସିହାର ପ୍ରଥମ ବାତ୍ୟା ହେବ । ଇତିମଧ୍ୟରେ ଭୁବନେଶ୍ୱର, ରାଉରକେଲା ସମେତ ରାଜ୍ୟର ବିଭିନ୍ନ ଘଡ଼ଘଡ଼ି ସହ ବର୍ଷା ହୋଇଛି ।