ଗଭୀର ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ

ନନ୍ଦିଘୋଷ ବ୍ୟୁରୋ: ଗଭୀର ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ । ବର୍ତ୍ତମାନ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ଗଭୀର ଅବପାତ । ଉତ୍ତର ଝାଡ଼ଖଣ୍ଡ ଓ ତାର ପାଖାପାଖି  ଅଞ୍ଚଳରେ ସକ୍ରିୟ ରହିଛି । ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରର ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଭାରି ବର୍ଷା  ସମ୍ଭାବନା ରହିଛି। କିନ୍ତୁ ଗଭୀର ଅବପାତଟି ଓଡ଼ିଶା ଠାରୁ  ଯଥେଷ୍ଟ ଦୂରରେ ସକ୍ରିୟ ରହିଥିବାରୁ ଆଜିଠାରୁ ରାଜ୍ୟରେ କମିଛି ବର୍ଷାର ପରିମାଣ । ଦୁଇ ଦିନ ବିରତି ପରେ ପୁଣି ୬ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଗାମୀ ୨୪ ଘଣ୍ଟାରେ ବରଗଡ଼, ସୁନ୍ଦରଗଡ, ଝାରସୁଗୁଡା ଓ ସମ୍ବଲପୁର,  ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ  ଜାରି କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ଉତ୍ତର ପଶ୍ଚିମ ଓଡ଼ିଶା ରେ ବର୍ଷା ରହିବ। ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ଅଂଚଳରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ରହିବା ସହ ୬ ତାରିଖ ଯାଏ ନାହିଁ କୌଣସି ସତର୍କ ସୂଚନା। ପରେ ୬ ରୁ ପୁଣି ବଢିବ ବର୍ଷା। ଆଗାମୀ ୭ ତାରିଖ ବେଳକୁ ଆଉ ଏକ ଘୁର୍ଣ୍ଣିବଳୟ ର  ସମ୍ଭାବନା  ଥିବା  ବେଳେ ଏହାର ପ୍ରଭାବରେ ବର୍ଷାର ବିସ୍ତୃତି ବଢ଼ିବ ବୋଲି  ପୂର୍ବାନୁମାନ  କରିଛି ପାଣିପାଗ  କେନ୍ଦ୍ର ।

ପରେ ଏହା  ଲଘୁଚାପର  ରୂପ ନେଇପାରେ ବୋଲି ମଧ୍ୟ ଆକଳନ କରାଯାଇଛି । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୫୩୩.୦  ମିମି  ବର୍ଷା ରେକର୍ଡ ହୋଇଛି। ଏବେବି ୯  ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ଗୋଟିଏ ଜିଲ୍ଲା ମାଲକାନଗିରି ରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୫  ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।