ବରପୁତ୍ରଙ୍କୁ ଅସମ୍ମାନ ପ୍ରତିବାଦରେ ବିଜେଡିର ଗର୍ଜନ: ବିଜେପିର ହୀନ ରାଜନୀତିକୁ ସବୁ ଆଡ଼େ ସମାଲୋଚନା 

ଭୁବନେଶ୍ବର: ବରପୁତ୍ରଙ୍କୁ ଅସମ୍ମାନ ପ୍ରତିବାଦରେ ବିଜେଡିର ଗର୍ଜନ । ରାଜରାସ୍ତାକୁ ଓହ୍ଲାଇଲେ ବିଜୁ ପ୍ରେମୀ । ବିଜୁଙ୍କୁ ଅପମାନ କଲେ ବି ଲୋକଙ୍କ ମନରୁ ଲିଭାଇ ପାଇବେନି ଭଲପାଇବା । ନବେ ଦଶକରୁ ଚାଲିଆସିଥିବା ପରମ୍ପରାକୁ ଭାଙ୍ଗିଛି ବିଜେପି ସରକାର । କ୍ଷମତାକୁ ଆସିବା ପରେ ପୂଜ୍ୟପୂଜା ପରମ୍ପରା ପାଲଟିଛି ପ୍ରହସନ । ରାଜ୍ୟର ବରପୁତ୍ରଙ୍କୁ ଅପମାନ କରି ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନକୁ ବନ୍ଦ କରିଦେଲେ ଡବଲ ଇଞ୍ଜିନ ସରକାର । ହେଲେ କେଉଁ ନ୍ୟାୟରେ ମହିଳା ଦିବସକୁ ସୁଭଦ୍ରା ଦିବସ ଭାବେ ପାଳନ କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି । ବିଜେପିର ଏଭଳି ହୀନ ରାଜନୀତିକୁ ସବୁ ଆଡେ ସମାଲୋଚନା କରାଯାଉଛି । ସବୁ ଜିଲ୍ଲାରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବା ସହ ରାଜ୍ୟ ସରକାରଙ୍କ ଗୋଇଠା ମାରି ବିଷ୍ଣୁ କରିବା ନୀତିକୁ କଟୁ ନିନ୍ଦା କରିଛି ବିଜେଡି । ବିଜୁ ପଟ୍ଟନାୟକ ଓଡ଼ିଶାର ହୃଦୟର ମଣିଷ ଓ ଅପ୍ରତିଦ୍ଵନ୍ଦ୍ବୀ ନେତା ଥିଲେ । ଯେତେବେଳେ ବିଜୁଙ୍କ ପରି ମହାପୁରୁଷଙ୍କୁ ଅପମାନ କରାଯିବ, ସେତେବେଳେ ସାରା ଓଡ଼ିଶା ତାତିବା ସ୍ବାଭାବିକ ।

ବିଜୁ ପଟ୍ଟନାୟକ କେବେ ବି କ୍ଷମତା ଲୋଭୀ ନଥିଲେ । ସେ ସବୁବେଳେ ରାଜ୍ୟ ସ୍ବାର୍ଥ ପାଇଁ ଲଢେଇ କରୁଥିଲେ । ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ପଂଚାୟତକୁ କ୍ଷମତା ହସ୍ତାନ୍ତର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିଜୁଙ୍କ ଉଦ୍ୟମ ଓ ସାହସିକତାର ପଦଚିହ୍ନ ଏବେ ବି ରହିଛି । ବିଜେପି ସରକାର ଭୟରେ ରାଜ୍ୟରେ ବିଜୁ ବ୍ରାଣ୍ଡକୁ ହଟେଇବାକୁ ଚକ୍ରାନ୍ତ କରୁଛି । ଏକ ବିକସିତ ଓଡିଶା ଗଠନ ସାଙ୍ଗକୁ ମହିଳା ସଶକ୍ତିକରଣ ପାଇଁ ବିଜୁ ବାବୁ ଆରମ୍ଭ କରିଥିବା କାର୍ଯ୍ୟକ୍ରମକୁ ବିଜେଡି ସରକାରରେ ତ୍ବରାନ୍ବିତ କରାଯାଇଥିଲା । ଏବେ କିନ୍ତୁ ସରକାର ବଦଳିବା ପରେ ବିଜେପି କେବଳ ନିଜସ୍ବ ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ସବୁ କ୍ଷେତ୍ରରୁ ବିଜୁଙ୍କ ପଦଚିହ୍ନକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ଏହାକୁ ନେଇ ସବୁ ମହଲରେ ପ୍ରତିବାଦ ତୀବ୍ର ହୋଇଛି । ସବୁ ମହଲରୁ ରାଜ୍ୟ ସରକାରଙ୍କ ବିଜୁ ବିରୋଧୀ ମନୋବୃତ୍ତିକୁ ନେଇ ସମାଲୋଚନା ହେବା ପରେ ତରବରିଆ ଭାବେ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ପାଳନ କରି ସ୍ମୃତି ଚାରଣ କରାଗଲା । ହେଲେ ବିଜୁଙ୍କୁ ବିଜେପିର ଅପମାନ ପ୍ରତିବାଦରେ ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବାକୁ ଥିବା ବେଳେ ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେଡି ।

ନଜର ପକାନ୍ତୁ