କେରଳରେ ପ୍ରେମିକାକୁ ହତ୍ୟା , କୋଟଗଡ଼ ଥାନା ଅଞ୍ଚଳରୁ ଅଭିଯୁକ୍ତ ପ୍ରେମିକ ଗିରଫ

କନ୍ଧମାଳ: କେରଳରେ ପ୍ରେମିକାକୁ ହତ୍ୟା, କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରୁ ଅଭିଯୁକ୍ତ ପ୍ରେମିକ ଗିରଫ । କୋଟଗଡ଼ ପୋଲିସ୍ ସହାୟତାରେ ଅଭିଯୁକ୍ତକୁ ବାନ୍ଧିଲା କେରଳ ପୋଲିସ୍ । ମୃତକ ରାଇକିଆ ଥାନା ଚାଞ୍ଚେଡ଼ି ଅଞ୍ଚଳର ରୀତିକା ସାହୁ ହୋଇଥିବା ବେଳେ ହତ୍ୟାକାରୀ ପ୍ରେମିକ କୋଟଗଡ଼ ଥାନା ସୁବର୍ଣ୍ଣଗିରି ପଞ୍ଚାୟତର ରାମନିଗୁଡ଼ା ଅଞ୍ଚଳର ସାମୁଏଲ ବଡ଼ମାଝୀ। ଉଭୟ କେରଳର ଆଲପୁଟ ଜିଲ୍ଲା ପିଚୁଲା ଥାନା ଅଞ୍ଚଳରେ ରହି ରାମନିଗୁଡ଼ାର ସାମୁଏଲ ବଡ଼ମାଝି ଓ ରାଇକିଆ ଛାଞ୍ଚଚେଡ଼ିର ରୀତିକା ସାହୁ ଦାଦନ ଖଟିବାକୁ ଯାଇଥିଲେ  । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ସାମୁଏଲ ବଡ଼ମାଝି ପୂର୍ବରୁ ବିବାହିତ ଜାଣିବା ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ସହ ବଚସା ହୋଇଥିଲା ।

ସେଥିରେ ଉତ୍‌କ୍ଷିପ୍ତ ହୋଇ ସାମୁଏଲ ପ୍ରେମିକା ରୀତିକାକୁ ଛୁରୀ ଭୁଷି ହତ୍ୟା କରିଥିଲା । ଏ ନେଇ କେରଳର ପିଚୁଲା ଥାନାରେ ଏକ ମାମଲା ହୋଇଥିଲା । ଘଟଣା ପରେ ଅଭିଯୁକ୍ତ କେରଳରୁ ଆସି କୋଟଗଡ଼ ସୁବର୍ଣ୍ଣଗିରୀ ପଞ୍ଚାୟତର ରଙ୍ଗାପଙ୍ଗା ଗାଁରେ ନିଜ ଶ୍ୱଶୁର ଘରେ ରହୁଥିଲା । କେରଳର ପିଚୁଲା ଥାନା କେସ୍ ନଂ ୨୬୮/୨୦୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା କେରଳ ପୋଲିସ୍ । ହତ୍ୟାକାରୀ ସାମୁଏଲ୍ କୋଟଗଡ଼ ଅଞ୍ଚଳରେ ଥିବା ଖବର ପାଇ କେରଳ ପୋଲିସ୍ ଜାଣିବା ପରେ ଏକ ଟିମ୍ ଆସି କୋଟଗଡ଼ରେ ପହଁଚି ଥିଲା । କୋଟଗଡ଼ ପୋଲିସ୍ ସହାୟତାରେ ହତ୍ୟାକାରୀ ପ୍ରେମିକକୁ ଗିରଫ କରିବାରେ ସକ୍ଷମ ହୋଇଛି କେରଳ ପୋଲିସ୍ । କୋଟଗଡ଼ ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ନେତୃତ୍ୱରେ ଏକ ଟିମ୍ ସାମୁଏଲ୍‌କୁ କାବୁ କରି କେରଳ ପୋଲିସକୁ ହସ୍ତାନ୍ତର କରିଥିବା କହିଛନ୍ତି କୋଟଗଡ଼ ଥାନା ଅଧିକାରୀ ଦିପ୍ତି ରଞ୍ଜନ ବେହେରା ।