spot_img

Latest Posts

ପ୍ରେମ କରି ଠକିଦେଇଥିଲେ, ବନ୍ଧାହେଲେ..

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ମେଟ୍ରିମୋନିଆଲ ସାଇଟ୍ ରୁ ପରିଚୟ । ପରେ ବନ୍ଧୁତା, ବନ୍ଧୁତାରୁ ପ୍ରେମ,ତା ପରେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ। ଶେଷରେ ବ୍ଲାକମେଲିଂ। ଏପରି ଅଭିଯୋଗରେ ଦେବଗଡ଼ ପୋଲିସ ଜଣେ ଯୁବ ଆଇନଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସମ୍ପୃକ୍ତ ଓକିଲକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଅଭିଯୁକ୍ତ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବଳିତା ଗାଁର ମଦନ ମୋହନ ପ୍ରଧାନଙ୍କ ପୁଅ ରୋହିତ କୁମାର ପ୍ରଧାନ। ଯୁବତୀ ଜଣକ ପରେ ଅନ୍ୟ ଜଣେ ଯୁବକଙ୍କୁ ବାହା ହୋଇଥିଲେ। ହେଲେ ସେହି ଯୁବତୀଙ୍କ ପିଛା ନ ଛାଡ଼ି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବାକୁ ଧମକ ଦେଇଥିଲେଓ ସ୍ଵାମୀଙ୍କୁ ଡିଭୋର୍ସ ଦେବାକୁ ଯୁବତୀଙ୍କୁ ଧମକ ଦେଇଥିଲେ। ଫଳରେ ଯୁବତୀ ଜଣକ ସ୍ଵାମୀଙ୍କୁ ଡିଭୋର୍ସ ଦେଇ ବାପ ଘରକୁ ପଳାଇ ଆସିଥିଲେ। ଏହା ପରେ ପୁଣି ରୋହିତଙ୍କ ସହିତ ଚାଲିଥିଲା ମିଳାମିଶା। ବିବାହ କରିବାକୁ କହିବାରୁ କିନ୍ତୁ ରୋହିତ ଆଉ ଧରାଛୁଆଁ ଦେଇନଥିଲେ। ବିବାଦ ବଢ଼ିବା ପରେ ରୋହିତଙ୍କ ପରିବାର ତାଙ୍କୁ ମାଡ଼ ମାରିଥିବା ବି କହିଛନ୍ତି ପୀଡ଼ିତା। ଯୁବତୀ ଜଣକ ଗତ ନଭେମ୍ଵର ୨୪ରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରୋହିତ ଜାମିନ ପାଇଁ ହାଇକୋର୍ଟକୁ ଯାଇଥିଲେ। କିନ୍ତୁ ଗତ ଏପ୍ରିଲ ୧୬ ରେ ଆବେଦନକୁ ଖାରଜ କରି ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ରୋହିତ କିନ୍ତୁ ଆତ୍ମସମର୍ପଣ ନ କରି ଫେରାର ହୋଇଥିଲେ। ଗତକାଲି ତାଙ୍କୁ ଭୁବନେଶ୍ଵରରୁ ଗିରଫ କରିଛି ଦେବଗଡ଼ ପୋଲିସ।

Latest Posts

Don't Miss