ଧୋକା ଦେଲା ପ୍ରେମିକ, ବାଂଲାଦେଶରୁ ଆସି ବାଲେଶ୍ବରରେ ପହଞ୍ଚିଲେ ଯୁବତୀ

ଜଳେଶ୍ବର: ବାଲେଶ୍ବରରେ ବାଂଲାଦେଶୀ ଝିଅ। ତାଙ୍କର ଗୋଟିଏ ଜିଦ୍, ସେ ତାଙ୍କ ସ୍ୱାମୀଙ୍କ ପାଖରେ ରହିବେ। ବାଂଲାଦେଶୀ ଝିଅ ରୁମା ମ୍ୟାରିଆମ୍ କହିଛନ୍ତି, ବାଲେଶ୍ବର ଜିଲ୍ଲା ବୁଧ କୁସୁମୀ ଗାଁର ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ସହ ଫେସବୁକରୁ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା । ପ୍ରେମ ଏତେ ନିବିଡ଼ ହୋଇଥିଲା ଯେ, ଦେଶ ପାରି ହୋଇ ବାଂଲାଦେଶରେ ରୁମା ମ୍ୟାରିଆମଙ୍କୁ ବୀରେନ୍ଦ୍ର ବିବାହ କରିଥିଲେ। ବାଂଲାଦେଶର ଏକ ମସଜିଦରେ ବିବାହ ପରେ ଉଭୟ ଏକାଠି ରହିଥିଲେ। ମଝିରେ ମଝିରେ ବୀରେନ୍ଦ୍ର ନିଜ ଦେଶ ଭାରତକୁ ଆସି ପୁଣି ବାଂଲାଦେଶକୁ ଯାଆନ୍ତି । ତେବେ ଗୋଟିଏ ବର୍ଷ ଧରି ଆସିଲେ ନାହିଁ। ମ୍ୟାରଆମ୍ କହିଛନ୍ତି, ସେ ଜାଣିବାକୁ ପାଇଲେ ଯେ ପାଞ୍ଚ ମାସ ପୂର୍ବରୁ ତାଙ୍କ ସ୍ବାମୀ ବୀରେନ୍ଦ୍ର ଦ୍ବିତୀୟ ବିବାହ କରିଛନ୍ତି। ଏହାପରେ ବୁଧ କୁସୁମୀ ଗାଁରେ ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ଘରେ ପହଞ୍ଚିଛନ୍ତି ମ୍ୟାରିଆମ୍।

ଦୀଘାରୁ କମର୍ଦ୍ଦା, କମର୍ଦ୍ଦାରୁ ବାଲେଶ୍ବର ଧାଉଁଛନ୍ତି ରୁମା । ବୀରେନ୍ଦ୍ର ପ୍ରତାପ ଧରାଛୁଆଁ ଦେଉନାହାନ୍ତି । ବୀରନ୍ଦ୍ର ଦୀଘାର ପାୱାର ହାଉସରେ ଚାକିରି କରନ୍ତି । ଅତୀତ ଦିନର ସ୍ମୃତିକୁ ମୋବାଇଲରେ ସାଇତି ରଖିଛନ୍ତି ରୁମା। ତାଙ୍କ ପ୍ରେମ ସତ, ସେ ତାଙ୍କ ସ୍ବାମୀକୁ ଫେରି ପାଇବେ, ଏହି ବିଶ୍ବାସ ନେଇ ସେ ବାଲେଶ୍ବରରେ ଡେରା ପକାଇଛନ୍ତି । ତେବେ ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ପରିବାର ଓ ଗ୍ରାମବାସୀଙ୍କ କହିବା କଥା, ଦୀଘାରେ ବୀରେନ୍ଦ୍ର ପ୍ରତାପ ଭଞ୍ଜ କାମ କରୁଥିବା ବେଳେ ବାଂଲାଦେଶୀ ଯୁବତୀଙ୍କ ସହିତ ସମ୍ପର୍କ ହୋଇଥିଲା ।

ସେଇ ସମୟର କିଛି ଫଟୋ ଯୁବତୀ ଜଣଙ୍କ ରଖି ତାଙ୍କ ସ୍ତ୍ରୀ ବୋଲି କହି ଟଙ୍କା ହଡ଼ପ କରିବା ପାଇଁ ଚାହୁଁଛନ୍ତି । ଅନ୍ୟପଟେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅସହାୟ ପୀଡିତାଙ୍କୁ ମେଡିକାଲରେ ଥିବା ଓବାନ୍ ଷ୍ଟପ୍ ସେଣ୍ଟରରେ ଆଶ୍ରୟ ଦିଆଯାଇଛି । ସେପଟେ ବାଲେଶ୍ବର ପୋଲିସ ଅଭିଯୁକ୍ତକୁ ଖୋଜିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।