ଶିକ୍ଷାବର୍ଷ ଅଧାରୁ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ ହେବାକୁ ନେଇ ଦ୍ବନ୍ଦ୍ବ

1 min read

ଭୁବନେଶ୍ବର: ଚଳିତଶିକ୍ଷା ବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜଙ୍କ ଅଧ୍ଯକ୍ଷତାରେ ଜାତୀୟ ଶିକ୍ଷା ନୀତି ୨୦୨୦ ନୂତନ ସ୍ନାତକ ଶିକ୍ଷା ପାଠ୍ୟକ୍ରମ ଓ ତାହାର କାର୍ଯ୍ୟକାରିତା ଉପରେ ଆଜି ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ ୟୁନିଭର୍ସିଟିର କୁଳପତିଙ୍କ ସହ ଶିକ୍ଷାବିତମାନେ ଯୋଗ ଦେଇଥିଲେ । ନୂତନ ଶିକ୍ଷାନୀତିରେ ଗବେଷଣାକୁ ଅଧିକ ଗୁରୁତ୍ବ ଦିଆଯାଉଥିବାରୁ, ଏମ.ଫିଲକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯିବ ।କିନ୍ତୁ ଶିକ୍ଷାବର୍ଷ ଅଧାରୁ ନୂଆ ଶିକ୍ଷାନୀତି ଲାଗୁ ହେଉଥିବାରୁ ଏହାକୁ ନେଇ ଅନେକ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି ।

ନୂଆ ଶିକ୍ଷାନୀତି ଅନୁସାରେ ଏମ୍.ଫିଲ୍ ଆଉ ରହିବ ନାହିଁ । କିନ୍ତୁ କିଛି ଛାତ୍ରଛାତ୍ରୀ ଏମ.ଫିଲରେ ନାମ ଲେଖାଇ ସାରିଛନ୍ତି । ଯଦି ଚଳିତବର୍ଷ ନୂତନ ଶିକ୍ଷାନୀତି ଲାଗୁ କରାଯାଏ, ସେମାନଙ୍କୁ କିପରି ନ୍ୟାୟ ମିଳିବ ବୋଲି ଚିନ୍ତା ପ୍ରକାଶ ପାଇଛି । ସେହିପରି ଯୁକ୍ତତିନିରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ଯତକୁ ନେଇ ବି ସନ୍ଦେହ ଦେଖାଦେଇଛି । ଏନଇପି ଲାଗୁ ହେବା ପରେ ପିଜି ସ୍ତରରେ ଉଭୟ ତିନି-ବର୍ଷିଆ ଓ ଚାରି ବର୍ଷିଆ ଡିଗ୍ରୀ ରହିବ । ଯୁକ୍ତତିନି ସ୍ତରରେ ଗବେଷଣା କଲେ ଚାରି ବର୍ଷିଆ ସ୍ନାତକ ଡିଗ୍ରୀ ମିଳିବ । ତିନି ବର୍ଷିଆ ସ୍ନାତକ ଡିଗ୍ରୀଧାରୀ ସ୍ନାତକୋତ୍ତର ଡିଗ୍ରୀ ପାଇଁ ଦୁଇ ବର୍ଷ ପଢ଼ିବେ । ଚାରି ବର୍ଷିଆ ସ୍ନାତକ ପିଲାଙ୍କୁ ସ୍ନାତକୋତ୍ତର ଡିଗ୍ରୀ ପାଇଁ ଗୋଟିଏ ବର୍ଷ ପଢ଼ିବାକୁ ପଡ଼ିବ ।

ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ପିଲାମାନେ ଇଚ୍ଛାନୁସାରେ କଳା, ବିଜ୍ଞାନ, ବାଣିଜ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଧନ୍ଦାମୂଳକ ପରି ଯେ କୌଣସି ବିଷୟ ଚୟନ କରିପାରିବେ । ଏପରିକି ଇଞ୍ଜିନିୟରିଂ, ମେଡିକାଲ, ମ୍ୟାନେଜମେଣ୍ଟ ଭଳି ବିଷୟ ମଧ୍ୟ ନେଇପାରିବେ । ଜଣେ ଯେକୌଣସି ବର୍ଷର ପରୀକ୍ଷା ପରେ ପାଠପଢ଼ା ଛାଡ଼ି ପରବର୍ତ୍ତୀ ସମୟରେ ଯୋଗ ଦେଇ ଡିଗ୍ରୀ ପାଇପାରିବ । ଅଧାରୁ ପାଠ ଛାଡ଼ିଥିଲେ, ଜଣେ ପ୍ରତ୍ଯାବର୍ତ୍ତନ କରି ଡିଗ୍ରୀ ସଂପୂର୍ଣ୍ଣ କରିବାର ବ୍ୟବସ୍ଥା ରହିଛି ଜାତୀୟ ଶିକ୍ଷା ନୀତି ୨୦୨୦ରେ ।

୨୦୨୪-୨୫ ଶିକ୍ଷାବର୍ଷର ସ୍ନାତକ ପ୍ରଥମ ବର୍ଷ ଆରମ୍ଭ ହୋଇଛି । ତା’ ସତ୍ତ୍ଵେ ନୂଆ ସିଲାବସ୍ ଲାଗୁ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି । ଏବେ ସୁଦ୍ଧା ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ୪୦ଟି ବିଷୟର ସିଲାବସର କାମ ଶେଷ ହୋଇଛି । ତେବେ ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରତି ସ୍ନାତକ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ମନରେ ଯେଉଁ ଦ୍ଵନ୍ଦ୍ଵ ଅଛି, ତାକୁ ଦୂର କରିବାର ଆବଶ୍ୟକତା ରହିଛି ।