ଇମିଗ୍ରେସନ ପ୍ରସଙ୍ଗକୁ ନେଇ ଲସ୍ ଆଞ୍ଜେଲସ ସ୍ଥିତି ବେହାଲ

1 min read

ନନ୍ଦିଘୋଷ ବ୍ୟୁରୋ : ଇମିଗ୍ରେସନ ପ୍ରସଙ୍ଗକୁ ନେଇ ଲସ୍ ଆଞ୍ଜେଲସ ସ୍ଥିତି ବେହାଲ । ସହରରେ ମୁତୟନ ହୋଇଛନ୍ତି ୨୦୦୦ ନ୍ୟାସନାଲ ଗାର୍ଡ ବାହିନୀ । ସହରରେ ଇମିଗ୍ରେସନ ରେଡ ଜାରି ରହିଥିବାବେଳେ ବିଭିନ୍ନ ସ୍ଥାନରେ ହୋଇଛି ପ୍ରତିବାଦ ଆନ୍ଦୋଳନ । ଗତ ଶୁକ୍ରବାରଠାରୁ ସହରରେ ଏହି ଆନ୍ଦୋଳନ ଜାରି ରହିଥିବାବେଳେ ଉତ୍ତେଜନା ରୋକିବା ଲାଗି ଦମନ ପ୍ରକ୍ରିୟା ଜାରି ରହିଛି । କେତେକ ସ୍ଥାନରେ ହିଂସାକାଣ୍ଡ ବି ଦେଖିବାକୁ ମିଳିଛି । କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ ନିଉଜକମ ଓ ଲସ ଆଞ୍ଜେଲସ ମେୟର କାରେନ ବାସଙ୍କୁ ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଆହ୍ବାନ ଦେଇଛନ୍ତି ଟ୍ରମ୍ପ । ଏହି ଘଟଣାକୁ ପ୍ରାୟ ୫୦ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଉତ୍ତେଜନା ପ୍ରଶମିତ କରିବା ଲାଗି ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଛନ୍ତି ବର୍ଡର ପାଟ୍ରୋଲ ବାହିନୀ । ଆନ୍ଦୋଳନକାରୀମାନେ ମାସ୍କ ପିନ୍ଧି ପ୍ରତିବାଦ କରୁଥିବା ଦେଖାଯାଉଛି । ଗତ ଶୁକ୍ରବାରଠାରୁ ଲସ ଆଞ୍ଜେଲସରେ ଇମିଗ୍ରେସନ ରେଡ ଜାରି ରହିଛି । ଏହି ରେଡରେ ୪୪ ଜଣଙ୍କୁ ଗିରଫ କରାଯାଇଛି । ଏହି ରେଡକୁ ବିରୋଧ କରି ପ୍ରାୟ ଏକ ହଜାର ଲୋକ ରାସ୍ତା ଉପରକୁ ଆସିଛନ୍ତି । ସେମାନେ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ପୋଡାଜଳା କରିଛନ୍ତି । ଡିପୋର୍ଟେସନ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରାଯାଇଥିବାବେଳେ ବିନା ନଥିପତ୍ରରେ ରହୁଥିବା ବିଦେଶୀଙ୍କୁ ବାହାର କରିବା ଲାଗି ଜୋରଦାର ଅଭିଯାନ ଆରମ୍ଭ ହୋଇଛି । ଆନ୍ଦୋଳନକୁ ନିନ୍ଦା କରିଛନ୍ତି ହ୍ବାଇଟ ହାଉସ ଡେପୁଟି ଚିଫ ଅଫ ଷ୍ଟାଫ ଷ୍ଟିଫେନ ମିଲର । ଇମିଗ୍ରେସନ ଆଣ୍ଡ କଷ୍ଟମସ ଏନଫୋର୍ସମେଣ୍ଟ ବା ICE ବିରୋଧରେ ହେଉଥିବା ଆନ୍ଦୋଳନକୁ କଠୋର ହସ୍ତରେ ଦମନ କରାଯିବ ବୋଲି କହିଛି ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ । ଦମନ ପ୍ରକ୍ରିୟାର ସ୍ଥିତି ଅନୁଧ୍ୟାନ କରିଛି ଏଫବିଆଇ ।