ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରୀତିନୀତି: ଜନ୍ମବେଦିରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

1 min read

ପୁରୀ: ଜନ୍ମବେଦିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପର୍ଯ୍ୟାୟକ୍ରମେ ସବୁ ରୀତିନୀତି ସମୟ ପୂର୍ବରୁ ଶେଷ ହେବା ପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ ନୀତି । ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିଛନ୍ତି ତିନି ଠାକୁର । ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି  । ଏହାପରେ ଦେବୀ ସୁଭଦ୍ର ଓ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ତେବେ କରୋନା କଟକଣା ପାଇଁ ଶରଧାବାଲିରେ ଭକ୍ତଙ୍କ ଭିଡ଼ ଲାଗିନଥିବାବେଳେ ଗୁରୁବାର ବାହାରିବ ଆଡ଼ପ ଅବଢା ।

ବିନା ଭକ୍ତରେ ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ । କାଳିଆର ମହାମାନବୀୟ ଲୀଳାଖେଳା ଦେଖିବାରୁ ବଞ୍ଚିତ ଭକ୍ତ । ଚୁପଚାପ ଶରଧାବାଲି, ଖାଁ ଖାଁ ମାଉସୀ ମା’ ମନ୍ଦିର । କୋଭିଡ ଗାଇଡଲାଇନ ଅନୁସାରେ କେବଳ ପାଳନ ହୋଇଛି ନୀତିକାନ୍ତି । ମଙ୍ଗଳବାର ଜନ୍ମବେଦି ଅଭିମୁଖେ ନବଦିନାତ୍ମକ ଯାତ୍ରା କରି ପହଞ୍ଚିଥିଲେ ମାଉସୀ ମା’ ମନ୍ଦିରରେ ।

ଆଜି ରଥାରୂଢ ଶ୍ରୀଜିଉଙ୍କ ମଙ୍ଗଳଆଳତି, ମଇଲମ, ଅବକାଶ ପୂଜା ଓ ବେଶ କରାଯାଇ ଗୋପାଳ ବଲ୍ଲଭ, ସକାଳ ଧୂପ ଅନୁଷ୍ଠିତ ହେବାସହ ଦ୍ୱିପ୍ରହର ଧୂପ ଓ ଅନ୍ୟାନ୍ୟ ନୀତିକାନ୍ତି କରାଯାଇଥିଲା । ଅପରାହ୍ନବେଳକୁ ସଂଧ୍ୟାଧୂପ ନୀତି ବଢିବା ପରେ ଦଇତାପତି ସେବକମାନେ ଶ୍ରୀବିଗ୍ରହମାନଙ୍କ ଆଡପମଣ୍ଡପ ବିଜେ ନୀତି ଶେଷ କରାଯାଇଥିଲା ।

ମହାପ୍ରଭୁ ରଥାରୂଢ ଥିବା ସମୟରେ ଶଙ୍ଖୁଡ଼ି ଭୋଗ ଲାଗି କରାଯାଇନଥାଏ । ଏହି ସମୟରେ ନାନାଦି ପ୍ରକାରର ପିଠା, ଖଇ, କୋରା ଆଦି ଲାଗି କରାଯାଇଥିଲା । ଦଶବର୍ଷ ରତ୍ନବେଦିରେ ମହାପ୍ରଭୁଙ୍କ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ ଆଡ଼ପମଣ୍ଡପରେ ଥରେ ଦର୍ଶନ କଲେ ସେତିକି ପୂଣ୍ୟ ମିଳିଥାଏ ବୋଲି ରହିଛି ବିଶ୍ୱାସ ।

କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ କୋଭିଡ-୧୯ କଟକଣା ଯୋଗୁଁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ । ଅନ୍ୟପଟେ ଚଳିତ ବର୍ଷର ପ୍ରଥମ ଆଡ଼ପ ଅବଢା ଗୁରୁବାରଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିବ । ଭକ୍ତମାନେ କିପରି ଅବଢା ପାଇ ପାରିବେ ସେ ନେଇ ସେବାୟତ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି । ଆଡ଼ପ ମଣ୍ଡପ ବିଜେ ପରେ ମହାପ୍ରଭୁଙ୍କୁ ରୁନ୍ଧା ଯାଇ ବଡ଼ ସିଂହାର ବେଶ ରାଯିବ । ଏବଂ ତାପରେ ପହୁଡ଼ କରାଯିବ ।

Leave a Reply