ରଥ ଉପରେ ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ରାଜରାଜେଶ୍ବର ବେଶ ବା ସୁନାବେଶ। ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ରଥ ଉପରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ବଡ ତଡାଉ ବେଶ ବା ସୁନାବେଶ । ରଥ ଉପରେ ଏହି ବେଶ ଦର୍ଶନ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତ ଆସିବେ। ତାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାର୍କେଟ ଛକ ରୁ ବାରିକେଟ ଦେଇ ଭକ୍ତ ମାନେ ଆସିବା ସହ ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ଦର୍ଶନ କରି ବାହାରକୁ ବାହାରିବେ । ଶୃଙ୍ଖଳିତ ଭାବେ ସୁନାବେଶ ଦର୍ଶନ ପାଇଁ ରଥ ଉପରେ ସେବାୟତ ମାନେ ବିଗ୍ରହ ସମ୍ମୁଖରେ ନ ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି।

ଭିଡ଼ ପରିଚାଳନା ପାଇଁ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ମୁତୟନ ହେବେ ୧୯୦ ପ୍ଲାଟୁନ ପୋଲିସ ଫୋର୍ସ। ମାର୍କେଟ ଛକରୁ ବ୍ୟାରିକେଡ୍ ରେ ଭକ୍ତମାନଙ୍କ ପାଇଁ ଗୋଟିଏ ପଥରେ ପ୍ରବେଶ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ମାର୍କେଟ ଛକରେ ବ୍ୟାରିକେଡ୍ ରେ ପ୍ରବେଶ କରିବେ ଏବଂ ଗୋୟଙ୍କା ଧର୍ମଶାଳା, ମର୍ଚିକୋଟ ଏବଂ ରାଧାବଲ୍ଲଭ ମଠ ସମ୍ମୁଖରେ ସିଂହ ଦ୍ୱାର ଆଡକୁ ଯିବେ। ଅରୁଣସ୍ତମ୍ଭ ଦେଇ ବଡ଼ଦାଣ୍ଡର ପଶ୍ଚିମ ପାର୍ଶ୍ୱ ଦେଇ ମାର୍କେଟ ଛକ ଦେଇ ପ୍ରସ୍ଥାନ କରିବେ । ଦୋଳମଣ୍ଡପ ସାହି ,ଜହ୍ନି ମୁଣ୍ଡିଆ ଛକ,ଦୋଳବେଦୀ ଆଦି ସ୍ଥାନରେ ପ୍ରେସର ପଏଣ୍ଟ ଚିହ୍ନଟ କରାଯାଇଛି । ସେଇ ସବୁ ସ୍ଥାନରୁ ଗହଳିକୁ ନିୟନ୍ତ୍ରଣ କରି ଭକ୍ତଙ୍କୁ ଛଡାଯିବ । ପୁରୀ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପ ଲାଇନ ଜାରି କରାଯାଇଛି ।

୧୧୨,୬୩୭୦୯୬୭୧୦୦,୬୩୭୦୯୭୨୧୦୦ ନମ୍ବର ରେ କଲ କରି ପୋଲିସର ଜରୁରୀକାଳୀନ ପରିସ୍ଥିତିରେ ସାହାଯ୍ୟ ନେଇପାରିବେ ଶ୍ରଦ୍ଧାଳୁ । ମନ୍ଦିର ପ୍ରଶାସନ ପକ୍ଷରୁ ସନ୍ଧ୍ୟା ୫ ଟା ସୁଦ୍ଧା ସୁନାବେଶ କରିବା ନେଇ ନୀତି ନିର୍ଘଣ୍ଟ କରାଯାଇଛି ।