ରାକ୍ଷୀ ପିନ୍ଧିବେ ମହାପ୍ରଭୁ: ଭଉଣୀ ସୁଭଦ୍ରାଙ୍କ ହାତରୁ ରାକ୍ଷୀ ବାନ୍ଧିବେ ଜଗା-ବଳିଆ
1 min read
ରାକ୍ଷୀ ପିନ୍ଧିବେ ମହାପ୍ରଭୁ । ଭଉଣୀ ସୁଭଦ୍ରାଙ୍କ ହାତରୁ ରାକ୍ଷୀ ବାନ୍ଧିବେ ଜଗା- ବଳିଆ । ଶ୍ରୀମନ୍ଦିରରେ ପାଳିତ ହେବ ସ୍ବତନ୍ତ୍ର ନୀତିକାନ୍ତି । ଗହ୍ମା ପୂର୍ଣମୀ ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ଭଉଣୀ ଭାଇ ହାତରେ ସ୍ନେହ ଶ୍ରଦ୍ଧାର ରାକ୍ଷୀ ବାନ୍ଧିଥାଏ । ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଭଉଣୀ ସୁଭଦ୍ରା ଏହି ଦିନ ବଡ଼ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବାର ପରମ୍ପରା ରହିଛି । ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ମଇଲମ କରାଯାଇ ନୂଆ ଲୁଗା ଲାଗି କରି ପୁଷ୍ପାଳକ ସେବକ ମାନେ ବଡ଼ଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ସ୍ୱତନ୍ତ୍ର ଭାବେ ନିର୍ମିତ ପାଟ ରାକ୍ଷୀ ଓ ଗୁଆ ମାଳ ପିନ୍ଧାଇବେ ।
ନାଲି, ନେଳି, ହଳଦିଆ ଓ ବାଇଗଣୀ ରଙ୍ଗର ବାସୁଙ୍ଗା ପାଟରେ ମହାପ୍ରଭୁଙ୍କ ପାଇଁ ପାଟରା ବିଶୋୟୀ ସେବକ ପ୍ରସ୍ତୁତ କରୁଛନ୍ତି ବିଶେଷ ରାକ୍ଷୀ ଓ ଗୁଆ ମାଳ । ଅତ୍ୟନ୍ତ ଶୁଦ୍ଧପୁତ ଓ ନିଷ୍ଠାର ସହ ଜଗନ୍ନାଥ ପାତ୍ରଙ୍କ ପରିବାର ରାକ୍ଷୀ ନିର୍ମାଣରେ ଲାଗିଛନ୍ତି । ୪ ଟି ଵିଶାଳ ରାକ୍ଷୀ ସମେତ ୪ଟି ଗୁଆମାଳ ନିର୍ମାଣ ପାଇଁ ଆବଶ୍ୟକୀୟ ପାଟ ଓ ନିର୍ମାଣ ସମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି । ବାସୁଙ୍ଗା ପାଟରେ ନିର୍ମିତ ପ୍ରତିଟି ରାକ୍ଷୀର ଓଜନ ପ୍ରାୟ ଏକ କିଲୋରୁ ଉର୍ଦ୍ଧ୍ବ ହେବ ବୋଲି କହିଛନ୍ତି ସେବକ ।