ବଡ଼ ଠାକୁର ବଳଭଦ୍ର ମୁହଁମାଡ଼ି ପଡ଼ିବା ଘଟଣାର ଯେମିତି ପୁନରାବୃତ୍ତି ନହୁଏ ଧ୍ୟାନ ଦିଅ: ଅମର ଶତପଥୀ

ଭୁବନେଶ୍ବର: ବଡ଼ ଠାକୁର ବଳଭଦ୍ର ଆଡ଼ପ ବିଜେ ବେଳେ ମୁହଁ ମାଡ଼ି ପଡିଯିବା ଘଟଣାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଏହି ଘଟଣାକୁ ନେଇ ଦାୟିତ୍ବହୀନ ମନ୍ତବ୍ୟ ଦେବା ପରେ ଜଗା ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାକୁ ନେଇ ବିଜେପି ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପୂର୍ବତନ ବିଧାୟକ ଅମର ଶତପଥୀ ।

ସେ କହିଛନ୍ତି, ଆଡ଼ପ ବିଜେ ବେଳେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହାକୁ ରାଜନୀତି ନ କରାଯାଇ ଘଟଣାର ଯେମିତି ପୁନରାବୃତ୍ତି ନ ଘଟେ ସରକାର ସେଥିପ୍ରତି ଧ୍ୟାନ ଦେବା ଦରକାର । ଏହି ଘଟଣାରେ ନେତାଙ୍କ ବିବୃତି ଗ୍ରହଣୀୟ ନୁହେଁ । ସବୁ ଲୀଳାମୟଙ୍କ ଇଚ୍ଛା କହି ପ୍ରଶାସନ ଖସି ଯିବା ଉଚିତ ନୁହେଁ ।

ଆଗକୁ ସେ କହିଛନ୍ତି, ଘଟଣାର ତଦନ୍ତ ପାଇଁ ଯେଉଁ କମିଟି ଗଠନ ହୋଇଛି, ସେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରୁ । ରଥଯାତ୍ରା ପୂର୍ବରୁ ଅନେକ ବୈଠକ ହେଉଥିଲା । କିନ୍ତୁ ତାହା କାର୍ଯ୍ୟକାରୀ ହେଉ ନଥିଲା ପରି ମନେ ହେଉଛି । ଏପରି ବେପରୁଆ ମନୋଭାବକୁ ଗୁରୁତର ସହ ନିଆଯିବା ଉଚିତ । ଘଟଣା ସାରା ବିଶ୍ୱରେ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି ।

ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଏତେ ବଡ଼ ଅଘଟଣକୁ କିଛି ମନ୍ତ୍ରୀ ଯେମିତି ହାଲୁକା ଭାବେ ନେଇ ମନ୍ତବ୍ଯ ଦେଇଥିଲେ, ତାହା ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଥିବା କହିଛନ୍ତି ନବୀନ ।

ଚିଠିରେ ସେ ଉଲ୍ଲେଖ କରିଛନ୍ତି, ମନ୍ତ୍ରୀଙ୍କ ଏଭଳି ମନ୍ତବ୍ଯ ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ସରକାରଙ୍କ ଏଭଳି ଆଭିମୁଖ୍ଯ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତ କରିପାରିନାହିଁ । ଆପଣ (ମୁଖ୍ୟମନ୍ତ୍ରୀ) ନିଜେ ଦାୟିତ୍ଵ ନିଅନ୍ତୁ । ଭବିଷ୍ଯତରେ ଏପରି ଘଟଣାର ପୁନରାବୃତ୍ତି ନହେବ ତାହା ସ୍ପଷ୍ଟ କରନ୍ତୁ । ଦୃଷ୍ଚାନ୍ତମୂଳକ ପଦକ୍ଷେପ ନେଇ କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ଆପଣ ଆଶ୍ଵସ୍ତ କରିବେ ବୋଲି ଆଶା ରହିଥିବା ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।