spot_img

Latest Posts

ବାଲିଯାତ୍ରାରେ ଅସମ୍ଭାଳ ଭିଡ଼, ଆଉ ଭିଡ଼ ଭିତରେ ମାତିଛନ୍ତି ଲୁଟେରା

ବାଲିଯାତ୍ରାରେ ଅସମ୍ଭାଳ ଭିଡ଼ । ୬ଦିନ ହେଲା ମହାନଦୀ ପଠାରେ ଚାଲିଛି ବିପଣୀ । ଚଟପଟି ଖାଦ୍ଯ ସାଙ୍ଗକୁ ଖେଳକୁଦ, କିଣିକିଣିର ଜମୁଛି ଆସର । ଆଉ ଭିଡ଼ ଭିତରେ ମାତିଛନ୍ତି ଲୁଟେରା । କିଏ କାହାର ପର୍ସ ଚୋରାଇ ନେଇଛି ତ କିଏ ମୋବାଇଲ । ରବିବାର ଚୋରି ଅଭିଯୋଗ କରିବାକୁ ପୋଲିସ ସହାୟତା କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳିଥିଲା । ସେପଟେ କଟକ ଇନ କଟକରେ କିଛି କୁନି କୁନି ପିଲାଙ୍କୁ ନେଇ ଦିଦିମାନେ ନାଚଗୀତ, ପାଠପଢା ଓ ଖିଆପିଆ କରୁଥିବାର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି । ମେଳାକୁ ଆସିଥିବା ବଞ୍ଜରା ଓ ବ୍ୟବସାୟୀଙ୍କ ପିଲାଙ୍କୁ ଶିବିରକୁ ନେଇ ସେମାନଙ୍କୁ ଦିନ ତମାମ ରଖୁଛନ୍ତି । ୨୦୧୧ରୁ କଟକ ଜିଲ୍ଲାପାଳ ଏହି ଯୋଜନା ଆରମ୍ଭ କରିଥିଲେ । ଏହାଦ୍ବାରା ମେଳାରେ ଅପରାଧ କମିବା ସହ ଅଘଟଣ ଆଶଂକା କମ ରହିବ ବୋଲି ଆଶା କରାଯାଉଛି ।

ବାଲିଯାତ୍ରାରେ ପ୍ରମୁଖ ଆକର୍ଷଣ ସାଜିଛି ଓରମାସ ଷ୍ଟଲ । ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀଙ୍କ ସହ ମିଶନ ଶକ୍ତି ମାଆଙ୍କ ହାତ ତିଆରି ସାମଗ୍ରୀ ଲୋକଙ୍କୁ ଆକୃଷ୍ଟ କରୁଛି । ହାତ ତିଆରି ଖେଳଣା ଦେଖି ପିଲାଏ ଘଡ଼ିଏ ଅଟକି ଯାଉଛନ୍ତି । ଏହାସହ ଫୁଡ଼ ଷ୍ଟଲର ଆମିଷ ଦୋକାନରେ ଲାଗୁଛି ଲମ୍ବା ଲାଇନ । ଚିକେନ, ମଟନ, ମାଛ, ଚିଙ୍ଗୁଡ଼ି ସହ ବିଦେଶୀ ଖାଦ୍ୟ ପାଇଁ ଜମୁଛି ଭିଡ଼ । ସେପଟେ ଉପର ବାଲିଯାତ୍ରା ପଡ଼ିଆ ଖାଲି ଥିବାରୁ ପ୍ରଥମରୁ ଲାଗି ରହିଛି ଅସନ୍ତୋଷ । କଟକର ଅସ୍ମିତା ପାଇଁ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି କଟକ ସ୍ୱାଭିମାନ ମଞ୍ଚ । ଷଷ୍ଠ ଦିନରେ ପହଞ୍ଚିଛି କଟକ ଐତିହାସିକ ବାଲିଯାତ୍ରା । ହାତରେ ଆଉ ଦୁଇଦିନ ଥିବାରୁ ଯାତ୍ରାର ମଜା ଲୁଟିବାକୁ ହାତଛଡ଼ା କରୁ ନାହାନ୍ତି ଲୋକେ ।

Latest Posts

Don't Miss