ରାଜଧାନୀରେ ମାତିଛନ୍ତି ଲୁଟେରା: ଖଣ୍ଡାରେ ହାଣି ଲୁଟିନେଲେ ସୁନା ଚେନ୍

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ପ୍ରାଦୂର୍ଭାବ ବଢିବାରେ ଲାଗିଛି । ଲୁଟ୍ ସହିତ ହୋଇଛି ମରଣାନ୍ତକ ଆକ୍ରମଣ । ଶୈଳଶ୍ରୀ ବିହାରର ଜଣେ ଇଞ୍ଜିନିୟରଙ୍କୁ ଖଣ୍ଡାରେ ହାଣି ୨ ଲୁଟେରା ସୁନା ଚେନ୍ ଲୁଟ୍ କରିଛନ୍ତି । ଏନେଇ ଚନ୍ଦ୍ରଶେଖପୁର ଥାନାରେ ଏତଲା ଦିଆଯାଇଛି । ଘଟଣା ଅନୁଯାୟୀ,  ସତ୍ୟ ନାରାୟଣ ମିଶ୍ର ତାଙ୍କ ଘର ସାମ୍ନାରେ ଫୁଲ ତୋଳୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ସୁନା ଚେନ୍  ଛଡାଇବାକୁ ଉଦ୍ୟମ କରିଥିଲେ ।

ସତ୍ୟ ନାରାୟଣ ପ୍ରତିରୋଧ କରିବାରୁ ଦୁର୍ବୁତ୍ତମାନେ ତାଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲେ । ନିଜକୁ ବଞ୍ଚାଇବାକୁ ଯାଇ ସତ୍ୟନାରାୟଣ ଖଣ୍ଡା ଛଡାଇବାକୁ ଉଦ୍ୟମ କରିଥିଲେ। ତେବେ ଲୁଟେରାମାନେ ଚେନ୍ ଛଡାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ଏନେଇ ଥାନାରେ ଅଭିଯୋଗ ହେବା ପରେ ଚନ୍ଦ୍ରଶେଖପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି  ।

ସତ୍ୟ ନାରାୟଣ ଛଡାଇ ଆଣିଥିବା ଖଣ୍ଡାକୁ ପୋଲିସକୁ ଜବତ କରିଥିବା ବେଳେ ଲୁଟେରାଙ୍କୁ ଖୋଜିବା ଆରମ୍ଭ କରିଛି  । ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ହେବ, ଚନ୍ଦ୍ରଶେଖପୁର ଥାନା  ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ ଦେଖିବାକୁ ମିଳୁଛି  ।

Leave a Reply