ରାଜନଗର ଡିଲର ପଏଣ୍ଟରେ ବ୍ୟାପକ ହରିଲୁଟ୍ ଅଭିଯୋଗ

ରାଜନଗର : କେନ୍ଦ୍ରାପଡ଼ା ରାଜନଗର ବ୍ଲକର ବିଭିନ୍ନ ଡିଲର ପଏଣ୍ଟରେ ହରିଲୁଟ୍ ଅଭିଯୋଗ। ସାଧାରଣ ହିତାଧିକାରୀ ମାନଙ୍କୁ ଭୂଆଁ ବୁଲାଇ ସେମାନଙ୍କ ପ୍ରାପ୍ୟ ଚାଉଳ ଲୁଟ୍ କରୁଛନ୍ତି ଡିଲର। ଡେରା ସମବାୟ ସମିତି ଡେରା ପଞ୍ଚାୟତରୁ ଏଭଳି ସଙ୍ଗିନ ଅଭିଯୋଗ ଆସିଛି। କେବଳ ଡେରା ନୁହେଁ ବିଭିନ୍ନ ଡିଲର ପଏଣ୍ଟରେ ହିତାଧିକାରୀଙ୍କ ସମାନ ଅଭିଯୋଗ। ଉଷୁନା ବଦଳରେ ଅରୁଆ ଚାଉଳ ଦେବା , ଚାଉଳ ଠିକା ସଂସ୍ଥା ଦେଇନାହିଁ କହି ହିତାଧିକାରୀଙ୍କୁ ଚାଉଳ ବଦଳରେ ଟଙ୍କା ଦେବା ଭଳି ଗୁରୁତର ଅଭିଯୋଗ ହୋଇଛି । ଏହା ସହ ଠିକା ସଂସ୍ଥା ଡିଲର ପଏଣ୍ଟ କୁ ଯୋଗାଉଥିବା ଚାଉଳ ବସ୍ତାରେ ୫୦ କେଜି ୬୦୦ଗ୍ରାମ ରହିବା କଥା, ମାତ୍ର ଠିକା ସଂସ୍ଥା ଚଞ୍ଚକତା କରି ପ୍ରତି ବସ୍ତାରୁ ୪ରୁ ୫ କେଜି ଲୁଟିନେଇଥିବା ଏବଂନିମ୍ନ ମାନର ଚାଉଳ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି।
ଅପରପକ୍ଷରେ ରାଜନଗର ବ୍ଲକରେ ମୋଟ ରାସନ୍ କାର୍ଡ ସଂଖ୍ୟା ୩୭ ହଜାର ୧୧୧ ଥିବାବେଳେ, ଜାତୀୟ ଖାଦ୍ଯ ସୁରକ୍ଷା କାର୍ଡ ୩୪ ହଜାର ୮୦୦, ରାଜ୍ଯ ଖାଦ୍ଯ ସୁରକ୍ଷା କାର୍ଡ ୨୩୧୧ ଟି ଓ ୩୭୦୪ ଟି ଅନ୍ତୋଦୟ କାର୍ଡ ରହିଛି । ମୋଟ ହିତାଧିକାରୀ ଙ୍କ ସଂଖ୍ୟା ୧ ଲକ୍ଷ ୨୨ ହଜାର ୫୦୮ ରହିଛି। ବ୍ଲକରେ ୫୧ଟି ଡିଲର ପଏଣ୍ଟ ରହିଛି। ପୂର୍ବରୁ ରାସନ୍ କେଳେଙ୍କାରୀରେ ଲିପ୍ତ ଥିବା ୬ ଜଣ ଡିଲରଙ୍କୁ ଯୋଗାଣ ବିଭାଗ ନିଲମ୍ବନ କରିଥିଲା। ତଥାପି ଥମୁନି ରାସନ୍ ଚାଉଳ ଲୁଟ୍। ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ସରକାର ଏହି ଯୋଜନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କାହିଁକି ରାଜନଗର ବ୍ଲକରେ ଫେଲ ମାରିଛି ଏହି ଯୋଜନା । କେବେ ଏହି ଯୋଜନାରେ ସ୍ଵଚ୍ଛତା ଆସୁଛି ତାହା ଦେଖିବାକୁ ବାକି ରହିଲା।