ବିବାହ ପୂର୍ବରୁ ଘରେ କଳାକନା ବୁଲାଇଲେ ଲୁଟେରା, ଲୁଟିନେଲେ ୧୦ ଲକ୍ଷ ଟଙ୍କା ସହ ୨୦ ଭରି ସୁନା

ନୟାଗଡ଼: ନୟାଗଡ଼ରେ ମାତିଲେ ଲୁଟେରା । ଝିଅ ବାହାଘର ପୂର୍ବରୁ ଘରେ କଳାକନା ବୁଲାଇଲେ ଚୋର । ବିଳମ୍ବିତ ରାତିରେ ଘରେ ପସି ୨୦ ଭରି ସୁନା ଗହଣା ସହ ନଗଦ ୧୦ ଲକ୍ଷ ଟଙ୍କା ଚୋରି ଅଭିଯୋଗ । ଘରର ସବୁ ଜିନିଷ ପତ୍ର ଫୋପଡା ଫିଙ୍ଗା କରିଥିବା ଦେଖିବାକୁ ମିଳିଛି । ଭାପୁର ବ୍ଲକ କଇଁଫୁଲିଆ ଗାଁର ପ୍ରମୋଦ କୁମାର ରାଉତଙ୍କ ଘରେ ହୋଇଛି ଚୋରି ।
ସୂଚନା ଅନୁସାରେ ପ୍ରମୋଦ କୁମାର ରାଉତ ତାଙ୍କ ଝିଅ ବାହାଘର ପାଇଁ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଉଠାଇ ଆଣି ଗତକାଲି ଘରେ ରଖିଥିଲେ । ହେଲେ ବିଳମ୍ବିତ ରାତିରେ ସମସ୍ତେ ଘରେ ଖାଇପିଇ ଶୋଇ ସାରିବା ପରେ ଦୁର୍ବୃତ୍ତ ବାରି ପଛ ପଟ କବାଟ ତାଡି ଘରେ ଥିବା ୧୦ ଲକ୍ଷ ଟଙ୍କା ସହିତ ୨୦ ଭରି ସୁନାଗହଣା ଚୋରି କରିନେଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ସକାଳୁ ଫତେଗଡ଼ ପୋଲିସକୁ ଲିଖିତ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଏବେ ଝିଅ ବିବାହ କେମିତି ହେବ ସେନେଇ ଚିନ୍ତାରେ ଅଛନ୍ତି ପ୍ରମୋଦଙ୍କ ପରିବାର ଲୋକ ।