ଆକାଂକ୍ଷା ଦୁବେ ଆତ୍ମହତ୍ୟା ଘଟଣା, ଗାୟକ ସମର ସିଂ ଓ ଅନ୍ୟ ସହଯୋଗୀଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି

1 min read

ଲକ୍ଷ୍ନୌ: ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା ଘଟଣା । ଗାୟକ ସମର ସିଂ ଓ ଅନ୍ୟ ସହଯୋଗୀ ସଞ୍ଜୟ ସିଂଙ୍କ ବିରୋଧରେ ଜାରି ହେଲା ଲୁକଆଉଟ ନୋଟିସ୍ । କିଛିଦିନ ତଳେ ସାରନାଥର ଏକ ହୋଟେଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଦେଶଛାଡ଼ି ଯେପରି ସେମାନେ ଚାଲିଯିବେ ନାହିଁ ସେଥିଲାଗି ସମସ୍ତ ବିମାନ ବନ୍ଦରକୁ ଆଲର୍ଟ କରାଯାଇଛି । ସମର ଓ ସଞ୍ଜୟଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ବି ବିମାନବନ୍ଦରଗୁଡ଼ିକୁ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ସାରନାଥ ଏସଏଚଓ ଧରମପାଲ ସିଂ ।

ସେପଟେ ଆକାଂକ୍ଷାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଆକାଂକ୍ଷାଙ୍କ ମା’ ମଧୁ ଦୁବେଙ୍କ ଓକିଲ ଶଶାଙ୍କ ଶେଖର ତ୍ରିପାଠୀ । ଏହି ଘଟଣାର ସିବିଆଇ ବା ସିବି-ସିଆଇଡି ତଦନ୍ତ ଦାବି କରିଛନ୍ତି ଆଇନଜୀବୀ । ଏନେଇ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି । ୨୫ ବର୍ଷ ବୟସ୍କା ଆକାଂକ୍ଷା ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଗତ ମାର୍ଚ୍ଚ ୨୬ ତାରିଖରେ ସାରନାଥର ଏକ ହୋଟେଲରେ ଆକାଂକ୍ଷାଙ୍କ ମୃତଦେହ ଝୁଲୁଥିବା ଦେଖାଯାଇଥିଲା । ସେ କସମ ପୈଦା କରନେ ଓ୍ବାଲେ କି-୨, ମୁଝସେ ସାଦି କରୋଗି, ବୀରୋ କି ବୀର ଆଦି ଭୋଜପୁରୀ ଫିଲ୍ମରେ ଅଭିନୟ କରିଥିଲେ ।