ଦ୍ଵିତୀୟ ଦିନରେ ସଦସ୍ୟ ଭାବେ ଶପଥଗ୍ରହଣ କରିବେ ଲୋକସଭାର ନବନିର୍ବାଚିତ ସାଂସଦ

1 min read

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ସ୍ଵତନ୍ତ୍ର ଅଧିବେଶନର ଆଜି ଦ୍ଵିତୀୟ ଦିନ। ଆଜି ଦ୍ଵିତୀୟ ଦିନରେ ଲୋକସଭାର ନବନିର୍ବାଚିତ ସାଂସଦ ସଦସ୍ୟ ଭାବେ ଶପଥଗ୍ରହଣ କରିବେ। ଗତକାଲି ପ୍ରଧାନମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳ ସଦସ୍ୟ ସମେତ ୨୮୦ ସଦସ୍ୟ ଶପଥଗ୍ରହଣ କରିଥିଲେ। ଆଜି ବାକିଥିବା ୨୬୪ ସଦସ୍ୟଙ୍କ ଶପଥଗ୍ରହଣ ହେବ।

ପ୍ରୋଟେମ ସ୍ପିକର ଭର୍ତ୍ତୃହରି ମହତାବ ବାଚସ୍ପତି ଭାବେ ଶପଥ ଗ୍ରହଣ କରାଇବେ। ଆସନ୍ତାକାଲି ଅନୁଷ୍ଠିତ ହେବ ଲୋକସଭା ବାଚସ୍ପତି ନିର୍ବାଚନ। ଆଜି ଏନଡିଏ ପକ୍ଷରୁ ବାଚସ୍ପତି ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା ସମ୍ଭାବନା ରହିଛି। ଏନଡିଏ ପ୍ରାର୍ଥୀ ଦେବାପରେ ଇଣ୍ଡିଆ ମେଣ୍ଟ ବିଜେପି ନେତୃତ୍ଵାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନା ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଦେବ ଏହାକୁ ନେଇ ଲାଗି ରହିଛି ଚର୍ଚ୍ଚା। ବାଚସ୍ପତି ରେସରେ କଟକ ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କ ନା ଶୁଣିବାକୁ ମିଳୁଛି।

ସେହିପରି ପୂର୍ବତନ ବାଚସ୍ପତି ଓମ ବିର୍ଲାଙ୍କ ନାଁ ମଧ୍ୟ ଚଳିତ ଲୋକସଭାର ବାଚସ୍ପତି ଲାଗି ରେସରେ ରହିଛି। କାହାକୁ ବାଚସ୍ପତି ପ୍ରାର୍ଥୀ ଭାବେ ବାଛିବ ଏନଡିଏ ଆଜି ସ୍ପଷ୍ଟ ହେବା ସମ୍ଭାବନା ରହିଛି। ସଂଖ୍ଯା ଦୃଷ୍ଟିରୁ ଏନଡିଏର ବାଚସ୍ପତି ପ୍ରାର୍ଥୀ ଜିତିବା ନିଶ୍ଚିତ। ବାଚସ୍ପତି ନିର୍ବାଚିତ ହେବା ପରେ ଆସନ୍ତାକାଲି ଲୋକସଭା ଓ ରାଜ୍ଯସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକସଭା ଅଧିବେଶନର ପ୍ରଥମ ଦିନରୁ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ପ୍ରତିବାଦର ସ୍ଵର। ମୁହାଁମୁହିଁ ହୋଇଥିଲେ ଶାସକ–ବିରୋଧୀ। ସମ୍ବିଧାନର ସୁରକ୍ଷା ଲାଗି ଇଣ୍ଡିଆ ମେଣ୍ଟର ଲଢେଇ ଜାରି ରହିବ। ଯେକୌଣସି ପରିସ୍ଥିତିରେ ସମ୍ବିଧାନର ସୁରକ୍ଷା କରିବ।

ବିରୋଧୀ ସାଂସଦମାନେ ହାତରେ ସମ୍ବିଧାନ ଧରି ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅଧିବେଶନରେ ବିରୋଧୀ ନିଟ୍ ପ୍ରଶ୍ନପତ୍ର ଲିକ୍, NEET ପରୀକ୍ଷା ବାତିଲ, ଦରଦାମ ବୃଦ୍ଧି, ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ଟ୍ରେନ ଯାତ୍ରୀଙ୍କ ଦୁର୍ଦ୍ଦଶା, ଜଙ୍ଗଲ ନିଆଁ, ପାନୀୟ ଜଳ ଅଭାବ ପରି ପ୍ରସଙ୍ଗ ଉଠାଇପାରନ୍ତି। ଏ ନେଇ ସଂକେତ ଦେଇଛନ୍ତି ରାହୁଲ ଗାନ୍ଧି। ୩ ନୂଆ ଫୌଜଦାରି ଆଇନ କାର୍ଯ୍ଯକାରୀ ପ୍ରସଙ୍ଗ ମଧ୍ଯ ଉଠାଇ ପାରନ୍ତି ବିରୋଧୀ। ଜୁଲାଇ ୩ ରେ ଶେଷ ହେବ ନୂଆ ଲୋକସଭାର ଏହି ପ୍ରଥମ ଅଧିବେଶନ।