ପ୍ରଦୀପଙ୍କ ମାମଲାର ତଦନ୍ତ କରିବ ଭିଜିଲାନ୍ସ: ଲୋକାୟୁକ୍ତ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲା । ଲୋକାୟୁକ୍ତ ଏହି ମାମଲାକୁ ଗ୍ରହଣ କରିଛନ୍ତି । ବିଭିନ୍ନ ତଦନ୍ତ ସଂସ୍ଥାଙ୍କ ତଥ୍ୟ ଆଧାରରେ ଲୋକୟୁକ୍ତ ଶୁଣାଣି କରିବେ । ଦୁଇ ମାସ ମଧ୍ୟରେ ତଦନ୍ତ କରି ତଥ୍ୟ ଦେବା ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଫେବ୍ରୁଆରୀ ୧୨ ତାରିଖ ସୁଦ୍ଧା ପ୍ରାଥମିକ ରିପୋର୍ଟ ଦେବ ଭିଜିଲାନ୍ସ । ୩ ଜଣିଆ ଖଣ୍ଡପୀଠରେ ହେବ ଶୁଣାଣି । ଜଷ୍ଟିସ ଅଜିତ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଖଣ୍ଡପୀଠର ଅନ୍ୟ ଦୁଇ ସଦସ୍ୟ ହେଉଛନ୍ତି ଡକ୍ଟର ଦେବବ୍ରତ ସ୍ୱାଇଁ ଓ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଗତ ୭ ତାରିଖରେ ଲୋକାୟୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ସୁପାରିସ କରିଥିଲେ । କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶ୍ରୟ ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ନେଇ କୌଣସି ଅଭିଯୋଗ ହେଲେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ପାଠକ ବାପପୁଅଙ୍କ ସହ ଦୁର୍ନୀତିରେ ସଂପୃକ୍ତି ଅଭିଯୋଗ ପରେ ଅଡୁଆରେ ପଡ଼ିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶକୁ ଗ୍ରହଣ କରି ତଦନ୍ତ ପରିସର ଭୁକ୍ତ କରିଥିବାରୁ ଲୋକାୟୁକ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଏହା ଦ୍ୱାରା ତଦନ୍ତ ପ୍ରକ୍ରିୟା ତ୍ୱାରାନ୍ୱିତ ହେବ । ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ଯୋଗୁଁ ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଶୀଘ୍ର ନ୍ୟାୟ ମିଳିପାରିବ ବୋଲି ସେ କହିଛନ୍ତି ।

Leave a Reply