ଶ୍ରୀଲୋକନାଥଙ୍କ ପୀଠରେ ଭୋର ୬ଟାରେ ଉଠିଲା ମହାଦୀପ

ନନ୍ଦିଘୋଷ ବ୍ୟୁରୋ: ପବିତ୍ର ମହାଶିବରାତ୍ରିରେ ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ଭୋର ୬ଟାରେ ଉଠିଲା ମହାଦୀପ । ଦେବଙ୍କ ରୀତି, ନୀତି, ହରିହର ଭେଟ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ହୋଇଥିଲା । ରାତି ୧୨ଟା ୫ରୁ ଦ୍ଵାରଫିଟା ନୀତି ପରେ ମଙ୍ଗଳା ଆଳତୀ, ମଇଲମ ପରେ ରାତ୍ର ୩ଟାରୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଚାଲିଥିଲା । ଆଉ ରାତି ୧୦ଟାରୁ ୨ଟା ପର୍ଯ୍ୟନ୍ତ ବିଭିନ୍ନ ନୀତି, ହରିହର ପୂଜା, ଭୋଗ ସମ୍ପନ୍ନ, ବଡ଼ସିଂହାର ବେଶ ସହ ମହାଦୀପ ଉଠିଥିଲା । ପ୍ରାୟ ୪ଲକ୍ଷରୁ ଅଧିକ ଭକ୍ତ ବାବା ଲୋକନାଥଙ୍କ ଚଳନ୍ତି ପ୍ରତିମାର ସାନିଧ୍ୟଲାଭ କରିଥିଲେ । ଜିଲ୍ଲା, ପୋଲିସ ଓ ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ଜାଗର ପଦାରେ ଦୀପ ଜାଳିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।