ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ୮ ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଆସନ ଲାଗି ଆଜି ସରିବ ପ୍ରଚାର

ନୂଆଦିଲ୍ଲୀ: ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ୮ ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଆସନ ଲାଗି ଆଜି ସରିବ ପ୍ରଚାର। ମୋଟ ୯୦୪ ପ୍ରାର୍ଥୀଙ୍କ ହେବ ଭାଗ୍ଯ ନିର୍ଦ୍ଧାରଣ। ମଇଦାନରେ ପ୍ରଧାନମନ୍ତ୍ରୀ ଓ ଦୁଇ କେନ୍ଦ୍ରମନ୍ତ୍ରୀ ତଥା ବହୁ ହେଭିଓ୍ବେଟ। ଉତ୍ତରପ୍ରଦେଶ ବାରାଣସୀରୁ ଭାଗ୍ଯ ପରୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କଂଗ୍ରେସର ଅଜୟ ରାୟ ପ୍ରଧାନମନ୍ତ୍ରୀଙ୍କୁ ଟକ୍କର ଦେଉଛନ୍ତି। ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ ନରେନ୍ଦ୍ର ମୋଦୀ । ୨୦୧୯ରେ ପରାସ୍ତ ହୋଇଥିଲେ ଏସପିର ଶାଳିନୀ ଯାଦବ। ୨୦୧୪ରେ ମୋଦୀଙ୍କ ଠାରୁ ପରାସ୍ତ ହୋଇଥିଲେ ଆପ୍ ନେତା ଅରବିନ୍ଦ କେଜରିଓ୍ବାଲ । ଉତ୍ତରପ୍ରଦେଶ ଚନ୍ଦୌଲିରୁ ଲଢୁଛନ୍ତି କେନ୍ଦ୍ର ଭାରୀ ଶିଳ୍ପମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ। ତାଙ୍କ ବିରୋଧରେ ଲଢୁଛନ୍ତି ସମାଜବାଦୀ ପାର୍ଟିର ପ୍ରାର୍ଥୀ ବୀରେନ୍ଦ୍ର ସିଂ । ଉତ୍ତରପ୍ରଦେଶ ମୀର୍ଜାପୁରର ପ୍ରାର୍ଥୀ ଅଛନ୍ତି କେନ୍ଦ୍ର ବାଣିଜ୍ଯ ଓ ଶିଳ୍ପମନ୍ତ୍ରୀ ତଥା ଆପନା ଦଳ(ଏସ) ନେତ୍ରୀ ଅନୁପ୍ରିୟା ପଟେଲ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ସମାଜବାଦୀ ପାର୍ଟିର ରମେଶ ଚନ୍ଦ୍ର ବିନ୍ଦ। ହିମାଚଳ ପ୍ରଦେଶ ହମିରପୁରରୁ ଭାଗ୍ଯ ପରୀକ୍ଷା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ସେପଟେ ପଞ୍ଜାବ ଜଳନ୍ଧରରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଚରଣଜିତ ସିଂ ଚନ୍ନି । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଆପର ପଓ୍ବନ କୁମାର ତିନୁ।

ଅନ୍ୟପଟେ ପଟିଆଲାରେ ବିଜେପିରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀ ପ୍ରୀନିତ କୌର। ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ଧରମବୀର ଗାନ୍ଧୀ। ପଶ୍ଚିମବଙ୍ଗ ଡାଏମଣ୍ଡ ହାରବର ଆସନରେ ଠିଆ ହୋଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ବବି କୁମାର ଦାସ। ହିମାଚଳ ପ୍ରଦେଶ କାଙ୍ଗ୍ରାରେ ଲଢୁଛନ୍ତି କଂଗ୍ରେସର ହେଭିଓ୍ବେଟ ଆନନ୍ଦ ଶର୍ମା । ବିଜେପିର ରାଜୀବ ଭରଦ୍ବାଜ ତାଙ୍କ ବିରୋଧରେ ଲଢେଇ କରୁଛନ୍ତି । ଝାଡଖଣ୍ଡ ଦୁମକାରେ ପ୍ରାର୍ଥୀ ଅଛନ୍ତି ବିଜେପିର ସୀତା ସୋରେନ। ସେ ହେଉଛନ୍ତି ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ବୋହୂ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଜେଏମଏମର ନଳୀନ ସୋରେନ । ଚଣ୍ଡୀଗଡ ଆସନରୁ ଲଢୁଛନ୍ତି କଂଗ୍ରେସ ହେଭିଓ୍ବେଟ ମନୀଷ ତିଓ୍ବାରୀ। ବିଜେପିର ସଞ୍ଜୟ ଟଣ୍ଡନଙ୍କ ସହ ତାଙ୍କର ହେଉଛି ଲଢେଇ । ସେପଟେ ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ନେତା।