ଯଦି ବିଜେପି ଟିକେଟ୍ ନଦିଏ, ଏହି ଦଳରୁ ନିର୍ବାଚନ ଲଢ଼ିପାରନ୍ତି ବରୁଣ ଗାନ୍ଧୀ

New Delhi: BJP MP Varun Gandhi at Parliament in New Delhi on Dec 19, 2018. (Photo: IANS)

ନନ୍ଦିଘୋଷ ବ୍ୟୁରୋ: ବିଜେପି ୨ଟି ପର୍ଯ୍ୟାୟରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି । କିନ୍ତୁ ଏଯାବତ ପିଲିଭିତ ଆସନରୁ ବରୁଣ ଗାନ୍ଧୀଙ୍କ ନାମ ଘୋଷଣା କରାଯାଇନାହିଁ । ସେପଟେ ଚଳିତ ନିର୍ବାଚନରେ ବିଜେପି ବରୁଣ ଗାନ୍ଧୀଙ୍କୁ ଟିକେଟ ଦେଇନପାରେ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏବେ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଛି । ତେବେ ବରୁଣ ଗାନ୍ଧୀଙ୍କୁ ଯଦି ବିଜେପି ଟିକେଟ ନଦିଏ ସେ ସମାଜବାଦୀ ପାର୍ଟିରୁ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି । ମାତ୍ର ଏଯାବତ ବରୁଣ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଅନ୍ୟପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି କି, ସେମିତି କୌଣସି ଆଲୋଚନା ହୋଇନାହିଁ । ଆମେ ତାଙ୍କ ସହ ସମ୍ପର୍କରେ ନାହୁଁ । ଦିଲ୍ଲୀର ସମାଜ ପାର୍ଟି ମୁଖ୍ୟ ରାମ ଗୋପାଲ ଯାଦବ କହିଛନ୍ତି କି, ବିଜେପି ତାଙ୍କ ଟିକେଟ କାଟିଲେ ଆମେ ବିଚାର କରିବୁ ।

କହି ରଖୁଛୁ କି, ଦଳ ବିରୋଧୀ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ବରୁଣ । ଏଣୁ କୁହାଯାଉଛି କି, ଚଳିତ ନିର୍ବାଚନରେ ତାଙ୍କୁ ଦଳ ଟିକେଟ ଦେଇନପାରେ । ବରୁଣଙ୍କ ମା’ ଏବେ ବିଜେପି ସାଂସଦ ରହିଛନ୍ତି । ୧୯୮୦ ମାର୍ଚ୍ଚ ୧୩ ତାରିଖରେ ଜନ୍ମିତ ବରୁଣ ଗାନ୍ଧୀ ସଞ୍ଜୟ ଗାନ୍ଧୀଙ୍କ ପୁଅ । ୧୯୯୯ ସାଧାରଣ ନିର୍ବାଚନରେ ବରୁଣ ଗାନ୍ଧୀ ପଲିଭିତରେ ଲୋକଙ୍କ ସହ ପରିଚିତ ହୋଇଥିଲେ । ୨୦୦୪ ମସିହାରେ ସେ ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ୨୦୦୯ରେ ସେ ପ୍ରଥମଥର ପାଇଁ ପ୍ରାର୍ଥୀ ହୋଇଥିଲେ । ପରେ ୨୦୧୪ ଏବଂ ୨୦୧୯ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ସେପଟେ ୨୦୧୩ ମସିହାରେ ବରୁଣ ଗାନ୍ଧୀ ରାଷ୍ଟ୍ରୀୟ ମହାସଚିବ ନିଯୁକ୍ତି ପାଇଥିଲେ । କମ ବୟସରେ ସେ ଏହି ପଦବୀ ପାଇଥିଲେ ।