ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲଙ୍କୁ ଭେଟିଲେ ନୀତିଶ କୁମାର, ବିରୋଧୀ ଏକତା ନେଇ ପ୍ରସ୍ତୁତ ହେଲା ରଣନୀତି

ନୂଆଦିଲ୍ଲୀ: ଚବିଶ ଲାଗି ଦିଲ୍ଲୀରେ ଗୋଟିଚାଳନା । ନାୟକ ଭୂମିକାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଦାନା ବାନ୍ଧୁଛି ବିରୋଧୀ ଏକତା । ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ପ୍ରୟାସ ତୀବ୍ର କରିଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ହାଇପ୍ରୋଫାଇଲ ଭେଟଘାଟ । ବିରୋଧୀ ଏକତା ନେଇ ରଣନୀତି ପ୍ରସ୍ତୁତ ହୋଇଛି । ବାଠକ ପରେ କଂଗ୍ରେସ ନେତା କେସି ବେଣୁଗୋପାଳ ଏବଂ ଲଲନ ସିଂହ କହିଛନ୍ତି, ଆଜି ଆମ ବୈଠକରେ ବିରୋଧୀ ଏକତାକୁ ନେଇ ଯେଉଂ ସହମତି ହୋଇଥିଲା, ତା ଉପରେ ବିସ୍ତାର ଭାବେ ଆଲୋଚନା ହୋଇଛି ।

ବିରୋଧୀ ଏକତା ପାଇଁ ସମସ୍ତ ଦଳକୁ ନେଇ ଏକ ବୈଠକ ହେବ । ଏଥିପାଇଁ ସ୍ଥାନ, ସମୟ ଏବଂ ତିଥି ଆଗାମୀ ୨ରୁ ୩ ଦିନ ମଧ୍ୟରେ ସ୍ଥିରିକୃତ ହେବ । ଅଧିକତମ ବିରୋଧୀ ନେତାଙ୍କୁ ଏହି ବୈଠକକୁ ଡକାଯିବ । ବିଭିନ୍ନ ବୈଠକରେ ବିରୋଧୀ ମହାମେଣ୍ଟ ଗଠନ ନେଇ ପ୍ରସ୍ତୁତି । ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିଥିଲେ ନୀତୀଶ ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଆସନ୍ତା ଜୁନ ପ୍ରଥମ ସପ୍ତାହରେ ପାଟନାରେ ବିରୋଧୀ ମହାମେଣ୍ଟ ବୈଠକ ବସିପାରେ ବୋଲି ସୂଚନା ମିଳିଛି ।

ତେବେ ଏହା ପୂର୍ବରୁ ମଧ୍ୟ ନୀତିଶ ଅନେକ ନେତାଙ୍କୁ ଭେଟିସାରିଛନ୍ତି । ଗତ ଏପ୍ରିଲ ୨୧ରେ କଂଗ୍ରେସ ନେତା ହରିଶ ରାଓ୍ବତଙ୍କୁ ଭେଟିଥିଲେ ନୀତୀଶ । ଏହାର ୩ ଦିନ ପରେ ୨୪ରେ କୋଲକାତାରେ ମମତା ବାନାର୍ଜୀ ଓ ଲକ୍ଷ୍ମୌରେ ଅଖିଳେଶ ଯାଦବଙ୍କ ସହ କରିଥିଲେ ଆଲୋଚନା । ମେ ୧୦ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବା ପରେ ୧୧ରେ ମୁମ୍ବାଇରେ ଶିବସେନା ନେତା ଉଦ୍ଧବ ଠାକରେ ଓ ଏନସିପି ସଭାପତି ଶରଦ ପାଓ୍ବାରଙ୍କୁ ଭେଟିଥିଲେ ନୀତୀଶ ।

ମେ ୨୦ରେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଉତ୍ସବରେ ବି ସାମିଲ ହୋଇଥିଲେ ନୀତୀଶ । ଗତକାଲି ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟି ବିରୋଧୀ ଏକତା ପ୍ରସଙ୍ଗରେ କରିଥିଲେ ଆଲୋଚନା । ଆସନ୍ତାକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ୨୪ରେ ଶିବସେନା ନେତା ଉଦ୍ଧବ ଠାକରେ ଓ ୨୫ରେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିବେ କେଜ୍ରିଓ୍ବାଲ ।