ନିଟ୍ ବିବାଦ ପ୍ରସଙ୍ଗ; ଉଠିଲା ପଡ଼ିଲା ସଂସଦ, ବିଜେଡି ସାଂସଦଙ୍କ ପ୍ରତିବାଦ

ନୂଆଦିଲ୍ଲୀ: ନିଟ୍ ପ୍ରସଙ୍ଗରେ ଉଠିଲା ପଡିଲା ସଂସଦ । ସ୍ବତନ୍ତ୍ର ଆଲୋଚନା ଲାଗି ବିରୋଧୀ କରିଥିବା ଦାବି ଅଗ୍ରାହ୍ଯ ପରେ ହୋଇଥିଲା ହଟ୍ଟଗୋଳ । ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ । ଆସନ୍ତା ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବି । ରାଜ୍ଯସଭାରେ ବି ପ୍ରଶ୍ନପତ୍ର ଲିକ୍ ବିରୋଧରେ ପ୍ରତିବାଦ କରିଥିଲେ ବିଜେଡି ସାଂସଦ । ସେପଟେ ରାଜ୍ଯସଭାରେ ନାରାବାଜି ବେଳେ ତଳେ ଅସୁସ୍ଥ ହୋଇ ପଡି ଯାଇଥିଲେ କଂଗ୍ରେସ ସାଂସଦ ଫୁଲୋ ଦେବୀ ନେତମ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସଂସଦର ଉଭୟ ଗୃହରେ ନିଟ୍ ତାତି । କେନ୍ଦ୍ର ସରକାରଙ୍କୁ ଘେରିଲା ଇଣ୍ଡିଆ ମେଣ୍ଟ । ହଙ୍ଗାମା ପରେ ସୋମବାର ଯାଏଁ ଗୃହ ମୁଲତବି କଲେ ବାଚସ୍ପତି । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦ ନିଟ ପ୍ରସଙ୍ଗରେ ହୋହଲ୍ଲା କରିଥିଲେ । ନିୟମାବଳୀ ୨୬୭ ଅନୁସାରେ ସ୍ବତନ୍ତ୍ର ଆଲୋଚନା ଲାଗି ଦାବି କରିଥିଲେ ସଦସ୍ଯ ।

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଥିଲେ, ନିଟ୍ ପ୍ରଶ୍ନପତ୍ର ଲିକ୍ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହା ଉପରେ ସ୍ବତନ୍ତ୍ର ଆଲୋଚନା ଦରକାର । କିପରି ପ୍ରଶ୍ନପତ୍ର ଲିକ୍ ହେଲା ? ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ? କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସମ୍ପର୍କରେ ସରକାରଙ୍କ ଯୋଜନା କ’ଣ ଆଦି ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିଥିଲେ ରାହୁଲ ।

ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିଟ୍ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ । କିନ୍ତୁ ପଳାୟନ କରିଛନ୍ତି ବିରୋଧୀ । ନିଟ୍ ପ୍ରଶ୍ନପତ୍ର ଲିକରେ ଯିଏ ବି ସଂପୃକ୍ତ ଥିବେ, ତାକୁ ଛଡ଼ାଯିବ ନାହିଁ । ସିବିଆଇ ତଦନ୍ତ କରୁଛି, କଡ଼ା କାର୍ଯ୍ଯାନୁଷ୍ଠାନ ହେବ ।

ନିଟ୍ ଜାଲିଆତି ଓ ପ୍ରଶ୍ନ ପତ୍ର ଲିକ୍ ପ୍ରତିବାଦରେ ରାଜ୍ଯସଭାରେ ବିଜେଡି ସାଂସଦ କରିଛନ୍ତି ପ୍ରତିବାଦ । ଏହି ଗୁରୁତର ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ଦାବି କରିଥିଲେ ବିଜେଡି ସାଂସଦ । ପ୍ରଥମେ ନିଜ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ । ଏଥିପ୍ରତି କର୍ଣ୍ଣାପାତ କରାନଯିବାରୁ ଗୃହର ମଧ୍ଯଭାଗକୁ ଆସି ନିଟ୍ ସଂପର୍କରେ ଆଲୋଚନା ପାଇଁ ସେମାନେ ଦାବି କରିଥିଲେ । ଓଡ଼ିଶାର ହଜାର ହଜାର ପିଲାଙ୍କ କ୍ଯାରିୟର ପ୍ରଭାବିତ ହୋଇଥିବା ଅଭିଯୋଗ କରି ଏନଡିଏ ସରକାର ବିରୋଧରେ ବିଜେଡି ସାଂସଦମାନେ ବିକ୍ଷୋଭ କରିଥିବା ସାଂସଦ ସସ୍ମିତ ପାତ୍ର  କହିଛନ୍ତି ।

ରାଜ୍ଯସଭାରେ ନିଟକୁ ନେଇ ପ୍ରତିବାଦ କରୁ କରୁ ତଳେ ପଡିଯାଇଥିଲେ କଂଗ୍ରେସ ରାଜ୍ଯସଭା ସାଂସଦ ଫୁଲୋ ଦେବୀ ନେତମ । ଗୃହର ମଧ୍ଯଭାଗକୁ ଆସି ପ୍ରତିବାଦ କରିବା ବେଳେ ଘଟିଥିଲା ଅଘଟଣ । ତାଙ୍କୁ ରାମମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ଯାଇ ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କୁ ଭେଟିଛନ୍ତି ।