spot_img

Latest Posts

ଲୋକସଭା ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବି

ନୂଆଦିଲ୍ଲୀ: ଲୋକସଭା ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବି। ନଭେମ୍ବର ୨୫ ଅଧିବେଶନ ଆରମ୍ଭ ଦିନ ଠାରୁ ସମ୍ବିଧାନ, ଆଦାନୀ, ସମ୍ଭଲ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଗୃହରେ ଲାଗି ରହିଥିଲା ଅଚଳାବସ୍ଥା। ଆଦାନୀ ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା କରିବାକୁ ସରକାରଙ୍କ ଅଗ୍ରାହ୍ୟକୁ ନେଇ ଉଭୟ ଗୃହ ସୁରୁଖୁରୁରେ ଚାଲିପାରିନଥିଲା। ଗତକାଲି ସଂସଦ ଭବନ ଗେଟରେ ଠେଲାପେଲା ଘଟଣାକୁ ନେଇ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ ସାଂସଦଙ୍କ ମଧ୍ୟରେ ଚାଲିଥିଲା ବୟାନବାଜି।

ସେହିପରି ଆମ୍ବେଦକର ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ ନେଇ ସଂସଦର ଉଭୟ ଗୃହରେ ସୃଷ୍ଟି ହୋଇଥିଲା ଝଡ। ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ନେଇ ଇଣ୍ଡି ମେଣ୍ଟର ବିରୋଧ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀର ବିଜୟ ଚୌକରୁ ସଂସଦ ପର୍ଯ୍ୟନ୍ତ ବିରୋଧୀ ସାଂସଦ  ଶୋଭାଯାତ୍ରା କରିଛନ୍ତି। ଏଥିରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ମଧ୍ୟ ସାମିଲ ହୋଇଛନ୍ତି। ତେବେ ଏତଲା ହୋଇଥିବାରୁ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏହି ଶୋଭାଯାତ୍ରାରେ ସାମିଲ ହୋଇନାହାନ୍ତି।

ଗତକାଲି ସଂସଦ ପରିସରରେ ଶାସକ ଓ ବିରୋଧୀ ସାଂସଦ ମୁହାଁମୁହିଁ ଘଟଣାର ବିଜେପି ସଂସଦ ମାର୍ଗ ଥାନାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ସେପଟେ ଶାସକ ବିଜେପି ସାଂସଦ ସଂସଦ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ କଂଗ୍ରେସ ବିରୋଧରେ ପ୍ରତିବାଦ କରିଛନ୍ତି।

Latest Posts

Don't Miss