ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ଏଥର କିଏ ଜିତିବ ?
1 min readବଲାଙ୍ଗୀର: ବଲାଙ୍ଗିର ଜିଲ୍ଲାର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଲୋଇସିଂହା ନିର୍ବାଚନ ମଣ୍ଡଳୀ । ସରଗରମ ହେବାରେ ଲାଗିଛି ନିର୍ବାଚନୀ ପ୍ରଚାର । ଏଠାରେ ଅଛନ୍ତି ୨ ଲକ୍ଷ ୪୪ ହଜାର ୩୯୭ ଜଣ ଭୋଟର । ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢେଇ ହେବା ନେଇ ଆଶା ରଖିଛନ୍ତି ଭୋଟର । ବିଜେଡି ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ସେପଟେ ଟକ୍କର ଦେବାକୁ ପ୍ରସ୍ତୁତ ଅଛନ୍ତି ଦୁଇ ଦଳ ବିଜେପି ଓ କଂଗ୍ରେସ । ଜୋର ଧରିଛି ଅଙ୍କକଷା । ଏଥର ନିର୍ବାଚନରେ ଏଠି ବିକାଶ ହିଁ ସାଜିବ ପ୍ରମୁଖ ମୁଦ୍ଦା ।
ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ଏଥର କିଏ ଜିତିବ, ତାକୁ ନେଇ ଚର୍ଚ୍ଚା । ବଲାଙ୍ଗୀରଜିଲ୍ଲାର ଲୋଇସିଂହା ,ଆଗଲପୁର ଓ ପୁଇଁନ୍ତଳା ବ୍ଲକକୁ ନେଇ ଗଠିତ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୫୭ ମସିହାରେ ଗଠିତ ହୋଇଛି । ଏଠାରେ ଅଛନ୍ତି ୨ ଲକ୍ଷ ୪୪ ହଜାର ୩୯୭ ଜଣ ଭୋଟର । ପୁରୁଷ ଭୋଟର ଙ୍କ ସଂଖ୍ୟା ୧ ଲକ୍ଷ ୨୩ ହଜାର ୭୬୦ ଜଣ । ମହିଳା ଭୋଟର ହେଲେ ୧ ଲକ୍ଷ ୧୯ ହଜାର ୩୫୯ ଜଣ । ଅନ୍ଯାନ୍ଯ ଭୋଟର ହେଲେ ମାତ୍ର ୪୧ ଜଣ । ସମୁଦାୟ ଭୋଟରଙ୍କ ମଧ୍ଯରୁ ୨ ହଜାର ୬୯୫ ଜଣ ଭିନ୍ନକ୍ଷମ ଭୋଟର ଥିବାବେଳେ ନୂତନ ଭୋଟର ହେଲେ ୬ ହଜାର ୪୮୧ ଜଣ ।
ଭୋଟରଙ୍କ ମନ ଜିଣିବା ପାଇଁ ସବୁଦଳ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏଠାରେ ବିଜେପି ଓ କଂଗ୍ରେସ ପ୍ରଚାର ଆରମ୍ଭ କରିନଥିବା ବେଳେ ବିଜେଡି ତାର ପ୍ରଚାରକୁ ଜୋରଦାର କରିଛି । ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନତି ମୂଳକ କାମକୁ ନେଇ ବିଜେଡି ପ୍ରାର୍ଥୀ ନିହାର ରଞ୍ଜନ ବେହେରା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ମୁକେଶ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ବିକାଶକୁ ଆଧାର କରି ରଣାଙ୍ଗନକୁ ଓହ୍ଲାଇବେ । କଂଗ୍ରେସ ପ୍ରାର୍ଥୀ ଓମ ପ୍ରକାଶ କୁମ୍ଭାର ବେରୋଜଗାର, ସ୍ଥାନୀୟ ସମସ୍ଯାକୁ ନେଇ ମଇଦାନକୁ ଓହ୍ଳାଇବେ ବୋଲି କହିଛନ୍ତି ।
ଏହି ନିର୍ବାଚନମଣ୍ଡଳୀରେ ସଂରକ୍ଷିତ ହେବା ପରେ ପ୍ରତି ନିର୍ବାଚନରେ ନୁଆ ଚେହେରା ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭା ଯାଇଛନ୍ତି । ୨୦୦୯ ମସିହା ନିର୍ବାଚନରେ ବିଜେଡି ପ୍ରାର୍ଥୀ ରମାକାନ୍ତ ସେଠ ୪୯ ହଜାର ୯୫୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ସେହିଭଳି କଂଗ୍ରେସ ପ୍ରାର୍ଥୀ ପାଣ୍ଡବ କୁମ୍ଭାର ୪୫ ହଜାର ୫୬୬ ଖଣ୍ଡ ଭୋଟ, ବିଜେପି ପ୍ରାର୍ଥୀ ମଘା କୁମ୍ଭାର ୩୮ ହଜା ୨୬୧ ଖଣ୍ଡ ଭୋଟ ପାଇଥିଲେ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଯୋଗେନ୍ଦ୍ର ବେହେରା ୬୪ ହଜାର ୩୪୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପାଣ୍ଡବ କୁମ୍ଭାର ୪୧ ହଜାର ୪୮୬ ଖଣ୍ଡ ଭୋଟ ଓ ବିଜେପି ପ୍ରାର୍ଥୀ ପରମାନନ୍ଦ ସେଠ ୩୮୭୩୨ ଖଣ୍ଡ ଭୋଟ ପାଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବିଜୟୀ ହୋଇଥିଲେ । ସେ ୭୧ ହଜାର ୨୬୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ବେହେରା ୫୭ ହଜାର ୫୯୩ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଚଳିତ ସାଧାରଣ ନିର୍ବାଚନ ବେଶ ରୋଚକ ହେବ l ଲୋଇସିଂହା ଅଞ୍ଚଳ ବାସୀଙ୍କ ମତ ଅଞ୍ଚଳର ବିକାଶ ସାଙ୍ଗକୁ ଲୋକଙ୍କ ସୁଖଦୁଃଖ ରେ ଯିଏ ଠିଆ ହେବ ସେହିଭଳି ପ୍ରାର୍ଥୀକୁ ଭୋଟ ଦେବେ ବୋଲି କହିଛନ୍ତି ।