୧୦୦ ସ୍ପିଡ୍‌‌ରେ ଓଡ଼ିଶା ଆସୁଛନ୍ତି ପଙ୍ଗପାଳ, ପଶ୍ଚିମ ଓଡ଼ିଶା ଆଲର୍ଟ…

ଭୁବନେଶ୍ୱର: ଛତିଶଗଡ଼ରେ ପହଞ୍ଚିଲେ ପଙ୍ଗପାଳ । ଆଉ ଖୁବ୍‌ ଶୀଘ୍ର ଓଡ଼ିଶାରେ ପ୍ରବେଶ କରିବେ ! ଏନେଇ ଓୟୁଏଟି ଭିସି ଡକ୍ଟର ପବନ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି ।

ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି, ଝାରସୁଗୁଡା ସମେତ ସମଗ୍ର ପଶ୍ଚିମ ଓଡିଶାକୁ ଏବେ ପଙ୍ଗପାଳ ଚିନ୍ତା ଘାରିଛି । ପଶ୍ଚିମ ଓଡ଼ିଶାରେ ଚାଷୀମାନେ ପଙ୍ଗପାଳକୁ ନେଇ ଚିନ୍ତାରେ ପଡ଼ିଛନ୍ତି । କାରଣ ପଙ୍ଗପାଳ ଆସିଲେ ସେମାନଙ୍କ ବର୍ଷ ଯାକର ପରିଶ୍ରମ ପାଣିରେ ପଡ଼ିଯିବ । ପଙ୍ଗପାଳ ସବୁ ଫସଲ ନଷ୍ଟ କରିଦେବା ଆଶଙ୍କାରେ ଏବେ ଚାଷୀ ଚିନ୍ତାଗ୍ରସ୍ତ ।

ତେବେ ପଙ୍ଗପାଳ ଆସିବା ନେଇ ପବନର ଗତି ଓ ବେଗ ଯାହା ରହିଛି, ଯଦି ସେଇ ଅନୁସାରେ ତାହା ଜାରି ରୁହେ, ତେବେ ସେମାନେ ଘଣ୍ଟାକୁ ଶହେ କିଲୋମିଟର ବେଗରେ ଓଡ଼ିଶା ଆଡ଼କୁ ମାଡ଼ି ଆସିବେ ବୋଲି ଆକଳନ କରାଯାଇଛି । ଯ଼ଦି ପବନର ଗତି ବଦଳେ ତେବେ ପଙ୍ଗପାଳ ଆନ୍ଧ୍ରପ୍ରଦେଶ ମୁହାଁ ହେବାର ସମ୍ଭାବନା ମଧ୍ୟ ରହିଛି ।

ପଙ୍ଗପାଳ ଓଡ଼ିଶା ଆସିବାର ଅଧିକ ସମ୍ଭାବନା ରହିଥିବାରୁ ପଶ୍ଚିମ ଓଡିଶାର ସବୁ ଜିଲ୍ଲାକୁ ସତର୍କ କରାଯାଇଛି । ପଙ୍ଗପାଳ ମୁକାବିଲା ନେଇ କୃଷି ଭବନରେ ଉଚ୍ଚସ୍ତରୀୟ ବୈଠକ ବସିଛି । ସବୁ ଜିଲ୍ଲା ପାଇଁ କୃଷି ବିଭାଗ ଏସଓପି ଜାରି କରିଛି । ପ୍ରତ୍ୟେକ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ । ସଚେତନତା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ପଙ୍ଗପାଳ ଓଡିଶା ଆସିବେ କି ନାହିଁ, ତାହା ମୌସୁମୀ ଓ ପବନର ବେଗ ଉପରେ ନିର୍ଭର କରୁଛି । ବରିଷ୍ଠ ଅଧିକାରୀମାନେ ଏହା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । ଚାଷୀଙ୍କୁ ସଚେତନ କରାଯାଇଛି ।

Leave a Reply