କରୋନା ସମୟରେ ସଂକଟମୋଚକ ସାଜିଥିଲା ଓଡ଼ିଶା ପୋଲିସ: ଶ୍ୱେତପତ୍ର

ଭୁବନେଶ୍ୱର: କରୋନା ସମୟରେ ସଂକଟମୋଚକ ସାଜିଥିଲା ଓଡ଼ିଶା ପୋଲିସ। ଗୃହ ବିଭାଗର ଶ୍ବେତପତ୍ରରେ ଏହା ଉଲ୍ଲେଖ ରହିଛି। କୋଭିଡ୍‌ ମହାମାରୀ ମୁକାବିଲା ପାଇଁ ୨୦୨୦ ମାର୍ଚ୍ଚ ମାସରୁ ସାରା ରାଜ୍ୟରେ ତାଲାବନ୍ଦ ଘୋଷଣା କରିଥିଲେ ରାଜ୍ୟ ସରକାର। ତାଲା ବନ୍ଦକୁ ସଫଳତାର ସହ ପୋଲିସ ସୁପରିଚାଳନା କରିଥିଲା। କରୋନାରେ ୮ହଜାର ୯୦୨ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ସଂକ୍ରମିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କର୍ତ୍ତବ୍ୟରତ ଅବସ୍ଥାରେ ୪୮ ଜଣଙ୍କର ଦେହାନ୍ତ ହୋଇଥିଲା। ବିଶେଷକରି ଲକଡାଉନ ସମୟରେ ପ୍ରବାସୀ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷମାନଙ୍କୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିଲା ଓଡ଼ିଶା ପୋଲିସ୍। ପାଦଚଲା ଶ୍ରମିକଙ୍କ ପାଇଁ ୫୨୯ଟି ଗାଡ଼ିର ବ୍ୟବସ୍ଥା କରାଯିବା ସହିତ ୨୪ ହଜାର ୭୫୪ଜଣଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା। ଲକଡାଉନରେ ପାରିବାରିକ ହିଂସାକୁ ରୋକିବାକୁ ଫୋନ୍ ଆପ୍ ପ୍ରୋଗ୍ରାମ ଆରମ୍ଭ କରାଯାଇଥିଲା। ଏଥିରେ ପୋଲିସକୁ ମିଳିଥିଲା ବଡ଼ ସଫଳତା। ପ୍ଲାଜମା ଦାନ କରି ଉଦାହରଣ ସୃଷ୍ଟି କରିଥିଲା ଓଡ଼ିଶା ପୋଲିସ। କରୋନାରୁ ସୁସ୍ଥ ହେଲା ପରେ ୧ ହଜାର ୨ଜଣ ପୋଲିସ୍ ପ୍ଲାଜମା ଦାନ କରିଥିଲେ।

Leave a Reply