ଯାଜପୁରରେ କଟକଣା କଡ଼ାକଡ଼ି: ଜନଶୂନ୍ୟ ପ୍ରାୟ ରାସ୍ତାଘାଟ

ଯାଜପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ୩ ଜିଲ୍ଲା ସମେତ ଯାଜପୁର ଜିଲ୍ଲାରେ ମଧ୍ୟ ୧୪ ଦିନିଆ ଲକଡାଉନ୍ କଟକଣା ଜାରି ରହିଛି। ତେବେ ଯାଜପୁର ଜିଲ୍ଲାରେ ଏହି ଲକଡାଉନ କଟକଣାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ସମସ୍ତ ୧୦ଟି ବ୍ଲକ୍ ଓ ୨ଟି ପୌରାଞ୍ଚଳ ସମେତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏହି ଲକଡାଉନ୍ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏସବୁ ଅଞ୍ଚଳରେ ପନିପରିବା, ଗ୍ରୋସରୀ ଓ ଔଷଧ ଦୋକାନ ସକାଳ ୬ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଛି ।
ସେହିପରି ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଗାଡ଼ି, ଶିଳ୍ପାନୁଷ୍ଠାନରେ ନିୟୋଜିତ ଗାଡ଼ି ଓ ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ଯାନବାହାନକୁ ଛାଡିଦେଲେ ଅନ୍ୟ ସମସ୍ତ ପ୍ରକାର ଗାଡି ଚଳାଚଳ ବନ୍ଦ ରହିଛି। ବିଭିନ୍ନ ଛକ ବଜାର ମାନଙ୍କରେ ପୋଲିସ୍ ମୁତୟନ ହୋଇଥିବା ବେଳେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ରାସ୍ତାଘାଟ ସବୁ ଶୂନଶାନ ହୋଇଯାଇଛି। ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ମୋଟ ୧୦୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେଥିମଧ୍ୟରୁ ୯୨୩ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଜିଲ୍ଲାରେ ୧୬୩ ଟି ଆକ୍ଟିଭ କେସ ରହିଛି।