ଆଜି ତୃତୀୟ ପର୍ଯ୍ୟାୟ ଲକଡାଉନ୍: ଏହି ସବୁ ନୂଆ ନିୟମ ହେଲା ଲାଗୁ

ଭୁବନେଶ୍ୱର: ଆଜିଠୁ ଦେଶରେ ଲାଗୁ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ । ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିବ । ପୂର୍ବ ଦୁଇଟି ପର୍ଯ୍ୟାୟ ଲକ୍‌ଡାଉନ୍‌ ଭଳି ଏଥର ବି ସମାନ କଟକଣା ଥିବା ବେଳେ ଜୋନ ହିସାବରେ କୋହଳ କରାଯାଇଛି । ଲକ୍‌ଡାଉନ ସମୟରେ ବିମାନ ସେବା, ରେଳ ସେବା, ମେଟ୍ରୋ, ଆନ୍ତଃରାଜ୍ୟ ଯାତାୟତ, ସ୍କୁଲ, କଲେଜ, କୋଚିଂ ସେଣ୍ଟର, ସିନେମା ହଲ୍‌, ସପିଂ ମଲ୍‌, ଜିମ୍‌, ସାମାଜିକ ଧାର୍ମିକ ଏକତ୍ରୀକରଣ, ବିବାହ, ବ୍ରତ, ମନ୍ଦିର ପ୍ରବେଶ ବନ୍ଦ ରହିବ । ଏଥିସହ ସଂଧ୍ୟା ୭ରୁ ସକାଳ ୭ ଯାଏଁ ଅଣ ଅତ୍ୟାବଶ୍ୟକୀୟ ସେବା ସହ ବ୍ୟକ୍ତିଗତ ଯାତାୟତ ବନ୍ଦ ରହିବ । ପୂର୍ବରୁ ଦୁଇଥର ଯାକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଉଦ୍‌ବୋଧନ ଦେଇ ଲକ୍‌ଡାଉନ ଘୋଷଣା କରିଥିବା ବେଳେ ଏଥର କେନ୍ଦ୍ର ଗୃହମନ୍ତ୍ର।ଳୟ ପକ୍ଷରୁ ଘୋଷଣା କରାଯାଇଛି ।

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନୋଟି ଜୋନ୍‌ ପାଇଁ ବିଭିନ୍ନ କଟକଣା ଜାରି କରାଯାଇଛି । ସମସ୍ତ ଜୋନ୍‌ରେ ଘରୋଇ ଓ ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ସେହିଭଳି ଟ୍ରେନ୍‌ ଯାତ୍ରା ଓ ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ ମଧ୍ୟ କଟକଣା ଲଗାଯାଇଛି । ବ୍ୟକ୍ତି ବିଶେଷଙ୍କ ଆନ୍ତଃରାଜ୍ୟ ଯାତାୟତ ଉପରେ କଟକଣା ଲାଗିଛି । ସମସ୍ତ ସାମାଜିକ, ରାଜନୈତିକ, ସାଂସ୍କୃତିକ, ବୌଦ୍ଧିକ, କ୍ରିଡ଼ା ସଂପର୍କିତ, ଧାର୍ମିକ ସମ୍ମୀଳନି ଉପରେ ମଧ୍ୟ କଟକଣା ଲଗାଯାଇଛି । ସମସ୍ତ ଧାର୍ମିକ ପୀଠ, ଉପାସନା ପୀଠ ବନ୍ଦ ରହିବ ଓ ଧାର୍ମିକ ସଭା ହୋଇପାରିବ ନାହିଁ ।

ରାଜ୍ୟ ସରକାରଙ୍କ ପକ୍ଷରୁ ରେଡ୍‌ ଜୋନ୍‌ ପାଇଁ କିଛି କଟକଣା ଜାରି କରାଯାଇଛି । ରେଡ୍‌ ଜୋନ୍‌ରେ ଚାରିଚକିଆ ଯାନରେ ଡ୍ରାଇଭରଙ୍କ ସହ ୨ ଜଣ ଯାତ୍ରୀ ଯାତ୍ରା କରିପାରିବେ । ସେହିଭଳି ୨ଚକିଆ ଯାନରେ କେବଳ ଜଣେ ଯାଇପାରିବେ । ଓଲା, ଉବେରରେ କେବଳ ସ୍ୱାସ୍ଥ୍ୟ କର୍ମୀ ଓ ରୋଗୀ ଯାତାୟତ କରିପାରିବେ । ଗ୍ରାମାଞ୍ଚଳରେ ସମସ୍ତ ଶିଳ୍ପଭିତ୍ତିକ କାର୍ଯ୍ୟକ୍ରମ ଚାଲିପାରିବ । ସହରାଞ୍ଚଳରେ କେବଳ ଏସଇଜେଡ୍‌, ରପ୍ତାନୀଭିତ୍ତିକ ଶିଳ୍ପ, ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥା, ଔଷଧ ନିର୍ମାଣକାରୀ ସଂସ୍ଥା, ସ୍ୱାସ୍ଥ୍ୟ ଉପକରଣ ନିର୍ମାଣକାରୀ ସଂସ୍ଥା, ଆଇଟି, ହାର୍ଡୱେର ନିର୍ମାଣକାରୀ ସଂସ୍ଥା, ଝୋଟ ଶିଳ୍ପ ଖୋଲିପାରିବ । ସହରାଞ୍ଚଳରେ କେବଳ ସହରାଞ୍ଚଳ ଶ୍ରମିକଙ୍କୁ ନେଇ ନିର୍ମାଣ କାର୍ଯ୍ୟ ଚାଲିପାରିବ । ଅକ୍ଷୟ ଶକ୍ତି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଅନୁମତି ରହିଛି । ଗ୍ରାମାଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଏବଂ ମାର୍କେଟ୍‌ କମ୍ପ୍ଲେକ୍ସ ଖୋଲାରହିବ । ଏକୁଟିଆ ଥିବା ଯେକୈାଣସି ଦୋକାନ ଖୋଲିପାରିବ। ଗ୍ରାମାଞ୍ଚଳରେ ସମସ୍ତ ଦୋକାନ ଖୋଲିପାରିବ, ତେବେ ମଲ୍‌ ଖୋଲିବା ଅନୁମତି ନାହିଁ ।

ସେହିଭଳି ଅରେଞ୍ଜ ଜୋନ୍‌ ପାଇଁ କିଛି କଟକଣା ଜାରି ହୋଇଛି। ଟ୍ୟାକ୍ସିରେ ଡ୍ରାଇଭରଙ୍କ ସହ ୨ଜଣ ଯାତ୍ରୀ ଯାଇପାରିବେ । ଅନୁମତିପ୍ରାପ୍ତ କାର୍ଯ୍ୟ ପାଇଁ ଯାନ ଓ ବ୍ୟକ୍ତି ବିଶେଷ ଜିଲ୍ଲା ବାହାରକୁ ଯାଇପାରିବେ। ଚାରିଚକିଆ ଯାନରେ ଡ୍ରାଇଭରଙ୍କ ସହ ୨ଜଣ ଯାଇପାରିବେ । ଅନ୍ୟ ସମସ୍ତ କାର୍ଯ୍ୟକଳାପ ବିନା ଅବରୋଧରେ ହୋଇପାରିବ।

ଗ୍ରୀନ୍‌ ଜୋନ୍‌ରେ ଦେଶବ୍ୟାପୀ କଟକଣାରେ ଥିବା କାମ ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟ ଚାଲିପାରିବ । ୫୦% ଯାତ୍ରୀରେ ବସ୍‌, ମାଲ୍‌ ପରିବହନ, ୬ ମିଟରର ସାମାଜିକ ଦୂରତା ରଖି ମଦ ଓ ପାନ ଦୋକାନ ଖୋଲିବ । ଅତ୍ୟାବଶ୍ୟକୀୟ ସେବା ପାଇଁ କୈାଣସି ଅଲଗା ପାସ୍‌ ଆବଶ୍ୟକ ନାହିଁ ବୋଲି ଗୃହମନ୍ତ୍ର।ଳୟ ପ୍ରକାଶ କରିଛି ।

Leave a Reply