ପ୍ରଶାସନ ଶୁଣିଲାନି ! ଗାଁ ଲୋକ ଏକାଠି ହେଲେ, କେନାଲ ସଫା କଲେ..

କନ୍ଧମାଳ: ପ୍ରଶାସନକୁ ଗୁହାରି କରି ଥକିବା ପରେ ଶେଷରେ ନିଜ କାମ ନିଜ ହାତକୁ ନେଲେ ଲୋକେ । ଦଳରେ ପୋତି ହୋଇ ପଡିଥିବା ଘାଇକୁ ନିଜ ହାତରେ ସଫା କଲେ ଗାଁର ୮୦ ପରିବାର ସଦସ୍ୟ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତରେ ।

ଏକାଠି ହେଲେ ସବୁ ସମ୍ଭବ । ମିଳିମିଶି କାମ କଲେ ମିଳିବ ସଫଳତା । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଗାମେରିକିଆ ବାସିନ୍ଦା । ଏହି ଗାଁରେ ରୁହନ୍ତି ପ୍ରାୟ ୮୦ ପରିବାର । ଗାଁର ଅଧିକାଂଶ ପ୍ରାୟ ଚାଷ ଉପରେ ନିର୍ଭର କରନ୍ତି । ଚାଷୀଙ୍କ ସୁବିଧା ପାଇଁ ୫୦ ବର୍ଷ ତଳେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏକ କେନାଲ ନିର୍ମାଣ କରାଯାଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଦଳରେ ପୋତି ହେବାକୁ ବସିଥିଲା । ଲୋକେ ବିଭାଗକୁ ବାରମ୍ବାର ଅବଗତ କଲେ ମଧ୍ୟ କେହି ନ ଶୁଣିବାରୁ ଶେଷରେ ନିଜ କାମ ନିଜ ହାତକୁ ନେଇଥିଲେ ଲୋକେ ।

ଗାଁରେ ଏକ ବୈଠକ ଡାକି କେନାଲକୁ ସଫା କରିବାକୁ ସମସ୍ତଙ୍କ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଗ୍ରାମର ସବୁ ଲୋକ ହାତରେ କୋଡ଼ି, ଶୁଖିଲା ବାଉଁଶ ଓ ମଶାରି ଧରି ଦଳ ସଫାରେ ଲାଗି ପଡିଥିଲେ । ଘର ପିଛା ଚାଉଳ, ଡାଲି ଓ କିଛି ପଇସା ଚାନ୍ଦା କରି ରୋଷେଇ କରି ଖାଇବା ବ୍ୟବସ୍ଥା ମଧ୍ୟ କରିଛନ୍ତି । ସଫା କରିବାକୁ ୧୦ ରୁ ୧୫ ଦିନ ଲାଗିଯିବ ବୋଲି ଲୋକେ କହିଛନ୍ତି । ଏହି କେନାଲ ଉପରେ ୪ଟି ସାହିର ୮୦ ପରିବାର ନିର୍ଭର କରନ୍ତି । ଏବେ ଖରା ଦିନ ଆସିବାରୁ ବାଧ୍ୟ ହୋଇ ପିଲାଠୁ ବୁଢା ସଭିଏଁ ମିଶି ଏହାକୁ ସଫା କରିଛନ୍ତି ।

Leave a Reply