ଲୁଟିଲେ ଅଧିକାରୀ: ଚାଷୀଙ୍କୁ ଜଣାନାହିଁ ତାଙ୍କ ମୁଣ୍ଡ ଉପରେ ଲକ୍ଷାଧିକ ଟଙ୍କାର ଋଣ ବୋଝ

ବଲାଙ୍ଗିର: କାହାକୁ ମିଳିଛି ୩ ହଜାର ତ ଆଉ କାହାକୁ ମିଳିଛି ୫ ହଜାର ଟଙ୍କା । କିନ୍ତୁ ବ୍ୟାଙ୍କ ଖାତାରେ ଗଡୁଛି ଲକ୍ଷାଧିକ ଟଙ୍କାର ଋଣ । ଖାତା ଦେଖି ତାଜୁବ ଚାଷୀ । ଚାଷୀଙ୍କୁ ଜଣାନାହିଁ ସେମାନେ କେବେ କଲେ ଋଣ । ଏବେ ଋଣ ସୁଝିବା ଚିନ୍ତା । ଚାଷୀଙ୍କ ଦସ୍ତଖତ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିଛନ୍ତି ପେକ୍ସ ସମ୍ପାଦକ ଓ କର୍ମାଚାରୀ । ଏମିତି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକର ୩ଟି କୃଷି ସମବାୟ ସମିତିରୁ । ଘଟଣା ଜଣାପଡ଼ିବା ପରେ ଉତ୍ତ୍ୟକ୍ତ ଚାଷୀ ବ୍ୟାଙ୍କ ଘେରାଉ କରି ଓ ରାସ୍ତା ଅବରୋଧ କରିବା ସହ ୭ ଦିନ ଭିତରେ ଘଟଣା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଚାଷୀଙ୍କୁ ଢାଲ କରି ଲୁଟିଛନ୍ତି ପେକ୍ସ କର୍ମଚାରୀ । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସେମାନଙ୍କ ଅଜାଣତରେ ଉଠିଛି ଲକ୍ଷ ଲକ୍ଷ ଟଙ୍କାର କୃଷି ଋଣ । ଜଣେ ନୁହେଁ କି ଦୁଇଜଣ ନୁହେଁ, ୩୭୦ ଚାଷୀଙ୍କ ଆକାଉଣ୍ଟରୁ ଉଠିଛି ଟଙ୍କା । ଚାଷୀଙ୍କ ଅଜାଣତରେ ଦସ୍ତଖତ ଜାଲିଆତି କରି ୨ କୋଟି ୫୦ଲକ୍ଷ ଉଠିଯାଇଥିବା ହୋଇଛି ଅଭିଯୋଗ ।

ବୁବେଳ ପେକ୍ସ ଅନ୍ତର୍ଗତ ବାହାଲବୁକା ଗାଁର ଚାଷୀ ଉମାକାନ୍ତ ବକୁଳ ଏବଂ ତାଙ୍କ ସ୍ତ୍ରୀ ସୌଦାମିନୀ କୃଷି ଋଣ ବାଦଦକୁ ୨୦ରୁ ୩୦ ହଜାର ଟଙ୍କା ପାଇଥିବାବେଳେ ଉମାକାନ୍ତଙ୍କ ନାଁରେ ୧ ଲକ୍ଷ ୩୦ହଜାର ଏବଂ ତାଙ୍କ ସ୍ତ୍ରୀ  ନାଁରେ ୧ ଲକ୍ଷ ୩୭ ହଜାର ଟଙ୍କା ଉଠିଛି । ବିମଳା ରାଣା ମାତ୍ର ୩ ହଜାର ଟଙ୍କା ପାଇଛନ୍ତି ହେଲେ ତାଙ୍କ ନାଁରେ ଉଠିଛି ୧ ଲକ୍ଷ ୪୭ ହଜାର ଟଙ୍କା । ଚାଷୀ ବାଗଦଳ ଗୁରୁ ମାତ୍ର ୮ ହଜାର ଟଙ୍କା ପାଇଛନ୍ତି । ହେଲେ ତାଙ୍କ ନାଁରେ ଗଡୁଛି ଦେଢ଼ ଲକ୍ଷ ଟଙ୍କାର ଋଣ । ସେହିପରି ବଟକୃଷ୍ଣ ଡ଼ାଙ୍ଗ ୧୨ ହଜାର ଟଙ୍କା କୃଷି ଋଣ ପାଇଥିଲା ବେଳେ ତାଙ୍କ ନାଁରେ ଉଠିଛି ୧ ଲକ୍ଷ ୩୦ହଜାର ଟଙ୍କା । ଜମାଖାତା ଅପଡେଟ୍ କରିବାକୁ ଯାଇ ଜାଲିଆତି ବିଷୟରେ ଜାଣିବାକୁ ପାଇଥିଲେ ସେମାନଙ୍କ ମୁଣ୍ଡ ଉପରେ ରହିଛି ଏତେ ବଡ଼ ଋଣ ବୋଝ । ଏନେଇ ବୁବେଲ ପେକ୍ସର ସମ୍ପାଦକ ଟିକେଶ୍ବର ସାଏ, ବୈରାସରର ଉପେନ୍ଦ୍ର ମେହେର ଓ ଜାମଗାଁର ସମ୍ପାଦକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ଚାଷୀ । ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ।

Leave a Reply