ମଝି ସମୁଦ୍ରରେ ଫସିଗଲେ ମତ୍ସ୍ୟଜୀବୀ, ଉଦ୍ଧାର ଆରମ୍ଭ କଲା ହେଲିକପ୍ଟର

1 min read

ଗଞ୍ଜାମ: ଅସାନୀରେ ଅଶାନ୍ତ ହେଉଛି ସମୁଦ୍ର  ।  ମାଛ ଧରିବାକୁ ଡଙ୍ଗା ନେଇ ଯାଇଥିଲେ ମତ୍ସ୍ୟଜୀବୀ  । ମଝି ସମୁଦ୍ରରେ ଫସିଗଲେ  । ପବନର ସୁସୁ ଗର୍ଜନ ଆଉ ସମୁଦ୍ରର ତାଣ୍ଡବ ଭିତରେ କୂଳକୁ ଫେରି ଆସିବାର ଆଶା ହରାଇଥିଲେ ମତ୍ସ୍ୟଜୀବୀ  । ଠିକ ସମୟରେ ଦେବଦୂତ ସାଜିଲା ହେଲିକପ୍ଟର  । କୋଷ୍ଟଗାର୍ଡର ଟିମ୍ ହଠାତ ପହଁଚିଲେ  ଅପରେସନ ପଏଣ୍ଟରେ । ଫସିରହିଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ନିମନ୍ତେ ଆରମ୍ଭ କଲେ ଅପରେସନ  ।

ଗଞ୍ଜାମ ସୁନାପୁର ସମୁଦ୍ରରେ ଅପରାହ୍ନରେ ଦେଖିବାକୁ ମିଳିଥିଲା ଜୀବନ-ମୃତ୍ୟୁର ଏ ଭୟଙ୍କର ଦୃଶ୍ୟ  ।  ଏୟାରଲିଫ୍ଟ ଦ୍ବାରା ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ । ଅସାନୀର ଭୟଙ୍କର ରୂପ ଭିତରେ ସୁନାପୁରର ଗଭୀର ସମୁଦ୍ରରେ ଫସିଯାଇଥିଲେ ୧୧ ମତ୍ସ୍ୟଜୀବୀ । ବିଶାଖାପଟ୍ଟନମରୁ ମାଛମାରି ଗଞ୍ଜାମ ଜିଲ୍ଲା ଚିକିଟି ଫେରିବା ବେଳେ ଉଚ୍ଚ ଲହରୀ କାରଣରୁ କୂଳକୁ ଫେରିପାରିନଥିଲେ ମତ୍ସ୍ୟଜୀବୀ । ସୂଚନା ମୁତାବକ ସକାଳ ୯ଟାରୁ ସମସ୍ତେ ଫସିରିଥିଲେ ।

ସମସ୍ତ ମତ୍ସ୍ୟଜୀବୀ ମାର୍କଣ୍ଡି ଗାଁର ହୋଇଥିବା ବେଳେ ମାଛ ଧରିବାକୁ ମଜି ସମୁଦ୍ରକୁ ଯାଇଥିଲେ । ଫସିରହିଥିବାର ଖବର ପାଇ ତୁରନ୍ତ ଅପରେସନ ଆରମ୍ଭ କରିଥିଲା ପ୍ରଶାସନ । କୋଷ୍ଟଗାର୍ଡ ହେଲିକପ୍ଟର ସହାୟତାରେ ଗଭୀର ସମୁଦ୍ରରେ ଉଦ୍ଧାର କାର୍ଯ୍ୟ କରିଥିଲା ତଟରକ୍ଷୀ ବାହିନୀ । ଶେଷରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।