ଶିମିଳିପାଳ ବର୍ଷାରେ ମହିଳା ବନ କର୍ମଚାରୀଙ୍କ ନାଚ ଭିଡିଓ ଭାଇରାଲ, କ’ଣ କହିଲେ ମହିଳା ଶୁଣନ୍ତୁ

ଶିମିଳିପାଳ: ଅଗ୍ନି ଦେବତାଙ୍କ ପ୍ରକୋପରେ ଶିମିଳିପାଳ ଜଳୁଥିଲା । ନିଆଁର କରାଳ ରୂପକୁ ପ୍ରକୃତି ମା’ ଆଉ ସହ୍ୟ କରିପାରିନଥିଲା । ହଠାତ୍‌ ଚାରିଦିଗ ଅନ୍ଧାର କରି ମାଡ଼ି ଆସିଥିଲା କଳାହାଣ୍ଡିଆ ମେଘ । ନିଆଁକୁ ଶାନ୍ତ କରିବା ପାଇଁ ଝରିପଡ଼ିଥିଲା ଅଦିନିଆ ବର୍ଷା । ଆଉ ନିଆଁକୁ ବଢ଼ିବାରେ ଏହି ବର୍ଷା ଲାଗାଇଥିଲା ବ୍ରେକ୍‌ ।

ଏହି ଅଦିନିଆ ବର୍ଷାକୁ ଦେଖି ଜଣେ ମହିଳା ବନ କର୍ମଚାରୀ ଅତ୍ୟନ୍ତ ଖୁସି ହୋଇଯାଇଛନ୍ତି । ଆଉ ସେ ଖୁସି ହୋଇ ବର୍ଷାରେ ଭିଜି ଭିଜି ସେହି ଜଙ୍ଗଲ ଭତରେ ହିଁ ନୃତ୍ୟ ଆରମ୍ଭ କରିଥିଲେ । ମହିଳା ବନ କର୍ମଚାରୀ ଜଣଙ୍କ ହେଉଛନ୍ତି ସ୍ନେହା ଧଳ । ସ୍ନେହା ପିଠାବଟା ବନାଞ୍ଚଳରେ ନିଆଁ ଲିଭାଇବା ପାଇଁ ଜଙ୍ଗଲ ଭିତରକୁ ଯାଇଥିଲେ । ହଠାତ୍‌ ଏହି ସମୟରେ ବର୍ଷା ଆରମ୍ଭ ହୋଇଥିଲା । କେବଳ ଏହି ନିର୍ଦ୍ଧିଷ୍ଟ ଅଞ୍ଚଳ ନୁହେଁ ପୁରା ଶିମିଳିପାଳରେ ବର୍ଷା ହୋଇଥିଲା । ସେହି ସ୍ଥାନରେ ବର୍ଷା ହୋଇ ନିଆଁ ଲିଭି ଯାଇଥିବାରୁ ସେ ଅଧିକ ଖୁସି ହୋଇଯାଇଥିଲେ । ନିଜ ଖୁସିକୁ ଆଉ ଅଟକାଇ ପାରିନଥିଲେ ସ୍ନେହା । ଆଉ ତାପରେ ନୃତ୍ୟ କରିବା ଆରମ୍ଭ କରିଥିଲେ । ତାଙ୍କ ନୃତ୍ୟ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ସେ ଜଙ୍ଗଲକୁ କେତେ ଭଲ ପାଆନ୍ତି । ଆଉ ଜଙ୍ଗଲ ପ୍ରତି ତାଙ୍କର କେତେ ଆତ୍ମୀୟତା ରହିଛି ।

ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇ ସ୍ନେହା କହିଛନ୍ତି, ନିଆଁ ଲିଭାଇବାକୁ ଯାଇଥିଲୁ କିନ୍ତୁ ବର୍ଷା ହେଲା । ହଠାତ୍ ବର୍ଷା ହେବାରୁ ଆତ୍ମବିଭୋର ହୋଇ ନାଚି ଉଠିଥିଲି । ବର୍ଷାରେ ନିଆଁ ଲିଭିଯାଇଥିବାରୁ ବହୁତ ଖୁସି ଲାଗୁଛି । ଆଗକୁ ଅଧିକ ବର୍ଷା ନେଇ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ସ୍ନେହା । ଭାବ ବିହ୍ୱଳ ହୋଇ ସ୍ନେହା କହିଛନ୍ତି, ମୋ ଜଙ୍ଗଲକୁ କିଏ କ୍ଷତି ପହଞ୍ଚାଇଲେ ସହିପାରିବିନି । ଜଙ୍ଗଲରେ ନିଆଁ ନ ଲଗାଇବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି । ନିଆଁ ନ ଲଗାଇବାକୁ ଲୋକଙ୍କୁ ସଚେତନ କରାଇବି ବୋଲି କହିଛନ୍ତି ସ୍ନେହା ।

Leave a Reply