ଟ୍ୱିନ୍ ‌ସିଟିରେ ବଢିଛି ଅପରାଧର କଳା ତାଲିକା, ରେକର୍ଡ ତାଲିକାରେ ଧରାପଡ଼ିଲା କମିଶନରେଟ୍ ପୋଲିସର ଅପାରଗତା

ଭୁବନେଶ୍ୱର: ଅପରାଧିଙ୍କ କବଳରୁ ରାଜଧାନୀକୁ ନିସ୍ତାର ନାହିଁ । ଲକ୍ ଡାଉନ୍ ହେଉ କି ସାଧାରଣ ସମୟ । ପୋଲିସକୁ ଚକମା ଦେଇ ମାତିଛନ୍ତି ଲୁଟେରା । କେବଳ ଲୁଟ ନୁହେଁ, ସିନ୍ଧି ଚୋରି, ଡକାୟତି ଭଳି ସାମାଜିକ ଅପରାଧ ଖୁବ୍ ବୃଦ୍ଧି ପାଇଛି । ୨୦୧୯ ବାର୍ଷିକ ଅପରାଧ ରେକର୍ଡରେ ଏପରି ତଥ୍ୟ ଦେଇଛି କମିସନରେଟ୍ ପୋଲିସ । ତଥ୍ୟ ଅନୁସାରେ ୨୦୧୯ରେ ଭୁବନେଶ୍ୱରରେ ୧୯୦୫ଟି ଓ କଟକରେ ୬୪୩ଟି ଚୋରି ହୋଇଛି ।

ସେହିପରି ଲୁଟ ରାଜଧାନୀରେ ୨୬୬ଟି ହୋଇଥିବା ବେଳେ କଟକରେ ୧୧୩ଟି, ରାହାଜାନୀ ୩୩୭ଟି ଭୁବନେଶ୍ୱରରେ ୧୨୪ଟି କଟକରେ, ସିନ୍ଧି ଚୋରି ୬୫୦ଟି, କଟକରେ ୨୬୭ଟି, ଡକାୟତି ବୁବନେଶ୍ୱରରେ ୪୯ଟି କଟକରେ ୨୦ଟି ହୋଇଛି । ଏହା ବାଦ ରାଜଧାନୀରେ ହତ୍ୟା ୩୯ଟି ହୋଇଥିବା ବେଳେ କଟକରେ ୩୦ଟି ହୋଇଛି । ଭୁବନେଶ୍ୱରରେ ଦୁଷ୍କର୍ମ ୧୪୯ଟି ହୋଇଥିବା ବେଳେ କଟକରେ ୬୬ଟି ହୋଇଛି । ପୂର୍ବତନ ଡିଜିପି ସଂଜୀବ ମାରିକ କହିଛନ୍ତି, ସହରାଞ୍ଚଳ ଓ ଜନସଂଖ୍ୟା ବୃଦ୍ଧି ଏ ସବୁ ଅପରାଧ ବୃଦ୍ଧିର କାରଣ ।

ସହରାଞ୍ଚଳ ଓ ଜନସଂଖ୍ୟା ବୃଦ୍ଧି ଯୁକ୍ତିକୁ ଗ୍ରହଣ କରି ନାହାନ୍ତି କ୍ରିମିନାଲ ଆଡଭୋକେଟ୍ । ସେ କହିଛନ୍ତି ଲୁଟ୍ ରାହାଜାନୀ, ଚୋରି ଡକାୟତି ଆଦି ଅପରାଧ ନିୟନ୍ତ୍ରଣ ଯୋଗ୍ୟ । ଏହି ସବୁ ଅପରାଧ ପେଶାଦାର ଅପରାଧୀ କରିଥାନ୍ତି । ପୋଲିସ ଏମାନଙ୍କ ଉପରେ ନିୟମିତ ନଜର ରଖିବା ଦରକାର । ଏହାସହ ସୋସିଆଲ୍ ଇଣ୍ଟେଲିଜେନ୍ସ ବି ଖୁବ୍ ଆବଶ୍ୟକ । ଯାହାକି ଆଜିକାଲିର ପୋଲିସ କରୁନାହିଁ । ଅପରାଧଙ୍କ ଉପରେ ଲଗାମ କସିବା ପାଇଁ ପୋଲିସ ପାଟ୍ରୋଲିଂ ଜୋରଦାର କରୁଥିବା କଥା କହୁଥିବା ବେଳେ ଅସଲରେ ଯେ ଏହା ଠାରୁ ସେ ବହୁତ ଦୁରରେ ତାହା ଏହି ରିପୋର୍ଟରୁ ସ୍ପଷ୍ଟ ।

(ଭୁବନେଶ୍ୱରରୁ ଅରୁଣ ସାହୁ)

Leave a Reply