ମଦ ପାଇଁ ଅକାଳରେ ଯାଉଛି ଜୀବନ: କାୟା ମେଲାଇଛି ଦେଶୀ ଚୋରା ମଦ କାରବାର

କାୟା ମେଲାଇଛି ଦେଶୀ ଚୋରା ମଦ କାରବାର । ମଦ ପାଇଁ ଅକାଳରେ ଯାଉଛି ଜୀବନ । ବଢିବାରେ ଲାଗିଛି ବିଧବା ଓ ଅନାଥଙ୍କ ସଂଖ୍ୟା। ନିଇତି ଘଟୁଛି ଅସାମାଜିକ କାର୍ଯ୍ୟକଳାପ । ଦୃଷ୍ଟି ଦେଉନି ଅବକାରୀ ବିଭାଗ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କରଞ୍ଜିଆ ଭୂମିଜ ସାହିରେ ରହୁଛନ୍ତି ୫୦ ରୁ ଉର୍ଦ୍ଧ୍ଵ ପରିବାର । ସମସ୍ତେ ପ୍ରାୟ ଦିନ ମଜୁରିଆ । ମୂଲ ମଜୁରୀ ଲାଗି ପରିବାର ଚଳାଉଥିବା ବେଳେ ଏହି ସାହି ପାଇଁ ଅଭିଷାପ ପାଲଟିଛି ବେଆଇନ ଭାବେ ଚାଲିଥିବା ଦେଶୀ ମଦ କାରବାର । ଅବାଧ ମଦ କାରବାର ପାଇଁ ସାହିରେ ବଢୁଛି ମଦୁଆଙ୍କ ସଂଖ୍ୟା । ମଦ ପିଇ ଦୈନିକ ବିଶୃଙ୍ଖଳା ଘଟୁଥିବା ବେଳେ ଅନେକଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି ।
କରଞ୍ଜିଆ ଭୂମିଜ ସାହିରେ ଅଧକାଂଶ ଭୂମିହୀନ ପରିବାର ବସବାସ କରୁଛନ୍ତି । ପୁରୁଷମାନେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଵେଳେ ମହିଳାମାନେ ପର ଘରେ ପାଇଟି କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏହି ସାହିକୁ ଆଜି ଯାଏଁ ବିକାଶ ପହଞ୍ଚିପାରିନି । ହେଲେ ସାହିରେ ମିଳୁଥିବା ନକଲି ମଦ ପିଇ ଅନେକ ପୁରୁଷଙ୍କ ଜୀବନ ଗଲାଣି । ମଦ କାରବାର ବନ୍ଦ କରିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରୁଛନ୍ତି ହେଲେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଭୂମିଜ ସାହିରେ ଶୀଘ୍ର ମଦ କାରବାର ବନ୍ଦ କରିବାକୁ ଦାବି ଜୋର ଧରିଛି ।