ନିଶାମୁକ୍ତ ପୌର ନିର୍ବାଚନ ପାଇଁ ମଦ ଦୋକାନ ସିଲ୍ କଲା ପ୍ରଶାସନ

ଭୁବନେଶ୍ୱର: ନିଶାମୁକ୍ତ ପୌର ନିର୍ବାଚନ ପାଇଁ ପ୍ରଶାସନର ପ୍ରସ୍ତୁତି । ଆଜି ସନ୍ଧ୍ୟା ଠାରୁ ୫ ଦିନ ପର୍ଯ୍ୟନ୍ତ ଡ୍ରାଏ ଡେ ପାଳନ କରାଯାଉଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସହରର ମଦ ଦୋକାନ ସିଲ କରାଯାଇଛି । ଭୁବନେଶ୍ୱରରେ ମଧ୍ୟ ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ଏବଂ ବାରଗୁଡିକୁ ସିଲ କରିଛି ବିଭାଗ । ଏହି ନିୟମ ଆସନ୍ତା ୨୭ ତାରିଖ ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଅନ୍ୟପକ୍ଷରେ ଆଜିଠୁ ସରିଛି ପ୍ରଚାର । ଦିନକ ପରେ ପୌର ପରୀକ୍ଷା । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । କାହା ମଥାରେ ଲାଗିବ ମେୟର ଟିକା ? କିଏ ଧରିବ ମୁନିସିପାଲ ମଙ୍ଗ ? ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଏ ହେବ ବସ୍ ? ବେଳ ଯେତିକି ଗଡୁଛି ସେତିକି ହାଇ ହେଉଛି ହାର୍ଟବିଟ୍ । ଏ ଭିତରେ ଆଜି ପ୍ରଚାରର ଶେଷଦିନରେ ସାରା ରାଜ୍ୟରେ ହୋଇଛି ହାଇଭୋଟଟେଜ୍ କ୍ୟାମ୍ପେନିଂ । ଷ୍ଟାର କ୍ୟାମ୍ପେନର, ହେଭିଓ୍ୱେଟଙ୍କ ଗହଣରେ ଭୋଟରଙ୍କୁ ଶେଷ ନିବେଦନ କରିଛନ୍ତି ପ୍ରାର୍ଥୀ । ଘରଘର ବୁଲି ନିଜ ସପକ୍ଷରେ ମାଗିଛନ୍ତି ଭୋଟ୍ ।

ପ୍ରଚାରରେ ଶେଷ ଦିନରେ ସବୁଠି ହାଇଭୋଲଟେଜ୍ କ୍ୟାମ୍ପେନିଂ । ନିର୍ବାଚନୀ ଗୀତ, ପାରମ୍ପରିକ ବାଜା ଆଉ କର୍ମୀଙ୍କ ନାରାବାଜିରେ ଦୁଲୁକିଛି ସହର । ସମସ୍ତଙ୍କ ଫୋକସର ଭୁବନେଶ୍ବର । ଭୋଟରଙ୍କୁ ଶେଷ ନିବେଦନ କରିଛନ୍ତି ସବୁ ଦଳର ପ୍ରାର୍ଥୀ । ବିଜେଡି କରିଛି ବିଶାଳ ବାଇକ ରାଲି । ମେୟର ପ୍ରାର୍ଥୀ ସୁଲୋଚନା ଦାସ କର୍ପୋରେଟର ପ୍ରାର୍ଥୀଙ୍କ ସହିତ କରିଛନ୍ତି ବିଶାଳ ରୋଡ ଶୋ । ମନ୍ଦିରରେ ପୂଜା କରି ଭଗବାନ୍ ଓ ଜନତାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ସୁଲୋଚନା । କଂଗ୍ରେସ, ବିଜେପି ଓ ଆପ୍ ପ୍ରାର୍ଥୀ ମଧ୍ୟ ଘରଘର ବୁଲି ନିଜ ସପକ୍ଷରେ ମାଗିଛନ୍ତି ଭୋଟ୍ । ସେପଟେ ଶେଷ ଦିନରେ କମ୍ପିଛି କଟକର ଗଳିକନ୍ଦି । ମାଆ କଟକ ଚଣ୍ଡିଙ୍କ ଆଶୀର୍ବାଦ ନେଇ ପ୍ରଚାର କରିଛନ୍ତି ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ । କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ଓ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ମଧ୍ୟ ରୋଡ ଶୋ ଓ ପଦଯାତ୍ରା କରି ଭୋଟ ମାଗିଛନ୍ତି