ଅସମାଜିକଙ୍କ କବଜାରେ ଭୁବନେଶ୍ବରର ବ୍ୟବସାୟିକ ପେଣ୍ଠ, ବିଭିନ୍ନ ସ୍ଥାନରୁ ତାଲାଭାଙ୍ଗି ଜବତ ହେଲା ପେଟିପେଟି ମଦ

ଭୁବନେଶ୍ବର : ନିଶାଡ଼ିଙ୍କ ଆଡ୍ଡା ପାଲଟିଛି ରାଜଧାନୀ ବ୍ଯବସାୟ ପେଣ୍ଠ । ଆଇଗିଣିଆ ଗୋଦାମ ଅଞ୍ଚଳରେ ବହୁଛି ମଦର ସୁଅ । ଡ୍ରଗ୍ସ ସହ ନିଶା ମାଫିଆଙ୍କ ପାଲଟିଛି ଚରାଭୂଇଁ । ଅଭିଯୋଗ ପରେ ମେୟରଙ୍କ ଚଢାଉ । ଆଳୁ ଗୋଦାମ ପରିସରରେ ତାଲା ଭାଙ୍ଗି ଜବତ ହେଲା ପେଟିପେଟି ମଦ । କିଛିଦିନ ପୂର୍ବରୁ ଏହି ଅଞ୍ଚଳରୁ ଡ୍ରଗ୍ସ ଜବତ ହୋଇଥିଲା । ନିଶାଡିଙ୍କ ଉତ୍ପାତ ଯୋଗୁଁ ସାଧାରଣଲୋକେ ଭୟଭୀତ ଥିଲେ । ଦିନବେଳା ବି ସାଧାରଣ ଲୋକେ, ବ୍ୟବସାୟୀ କିମ୍ବା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗୋଦାମକୁ ଆସୁଥିବା ଲୋକେ ନିଜକୁ ସୁରକ୍ଷିତ ମଣୁ ନଥିଲେ । ତେଣୁ ଭରତପୁର ଥାନା ଅଧିକାରୀ, ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚଢ଼ାଉ କରାଯାଇ ବିପୁଳ ମଦ ଜବତ କରାଯାଇଛି । ସୋମବାର ବ୍ୟବସାୟୀ ମହାସଂଘ ସହ ବୈଠକ କରାଯାଇ ସମ୍ପୂର୍ଣ୍ଣ ଅଞ୍ଚଳକୁ ବାଉଣ୍ଡରୀ କରାଯିବାକୁ ବ୍ଯବସ୍ଥା କରାଯିବ ବୋଲି କହିଛନ୍ତି ମେୟର । ରାଜ୍ୟର ପ୍ରମୁଖ ଏହି କୁବେରପୁରୀ ଅଞ୍ଚଳରେ ବ୍ୟାପକ ଅଳିଆ ଅଛି, ପାର୍କିଙ୍ଗ ସ୍ଥାନ ନଷ୍ଟ ହୋଇଯାଇଛି । ଡ୍ରେନ ଓ ରାସ୍ତା ମଧ୍ୟ ଭଲ ନାହିଁ । ଖୁବଶୀଘ୍ର ବିଏମସି ଏସବୁର ଉନ୍ନତିକରଣ କରିବ ମେୟର ପ୍ରତିଶ୍ରୁତି ଦେଇଛନ୍ତି ।

ନିଶାଡୀ ଓ ବିଶୃଙ୍ଖଳା ଯୋଗୁଁ ଅନେକ ସମୟରେ ଗୋଦାମ ଅଞ୍ଚଳ ଅଶାନ୍ତ ରହୁଥିବା କହିଛି ବ୍ଯବସାୟୀ ମହାସଂଘ । ସରକାରଙ୍କ ସହ ଏନେଇ ବାରମ୍ବାର ଆଲୋଚନା ହୋଇଛି । ଏବେ ବିଏମସି ପଦକ୍ଷେପ ନେଇଥିବାରୁ ଧନ୍ଯବାଦ ଜଣାଇଛନ୍ତି ସଂଘ ଓ ଅଞ୍ଚଳବାସୀ । ଅଞ୍ଚଳରେ ଗୋଟିଏ ପୋଲିସ ଫାଣ୍ଡି ପାଇଁ ସରକାରଙ୍କ ପାଖରେ ଦାବି କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ଆଗାମୀ ଦିନରେ ଗୋଦାମ ଅଞ୍ଚଳକୁ ବ୍ୟବସ୍ଥିତ କରାଯିବା ସହ ଭେଣ୍ଡିଂ ଜୋନ କରି ଦିଆଯିବ ବୋଲି କୁହାଯାଇଛି ।ରାଜ୍ୟର ଏହି ପ୍ରମୁଖ ଗୋଦାମ ଅଞ୍ଚଳରେ ସୁଲଭ ସହ କଥାବାର୍ତ୍ତା ହୋଇ ୨ ମାସ ମଧ୍ୟରେ ପବ୍ଲିକ ଟଏଲେଟ ହେବ ବୋଲି ସୂଚନା ଦିଆଯାଇଛି । ସନ୍ଧ୍ୟାରେ ପିସିଆର ବୁଲିବାକୁ ଯୋଜନା ହୋଇଛି । ଆଇଗିଣୀଆ ମ୍ୟାନେଜମେଣ୍ଟ କମିଟି ସହ ଆଲୋଚନା ହୋଇ ସବୁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ମେୟର ।